କରୋନା: ଦେଶରେ ୨୪ ଘଣ୍ଟାରେ ୨୫୫୩ ଆକ୍ରାନ୍ତ, ୧୦୭୪ ସୁସ୍ଥ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୨୫୫୩ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏବେ ସୁଦ୍ଧାରେ ଦେଶରେ ୪୨୫୩୩ ଜଣ କରୋନା ସଂକ୍ରମଣ ହୋଇଛନ୍ତି ଏବଂ ମୋଟ୍‌ ୧୩୭୩ ଜଣଙ୍କ ମୃତ୍ୟୁ ହୋଇସାରିଛି । କରୋନା ସଂକ୍ରମଣ ଥମୁ ନଥିବା କାରଣରୁ ଦେଶରେ ଆଜିଠାରୁ ତୃତିୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଏହି ଲକ୍‌ଡାଉନ୍‌ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗୁ ରହିବ ।

ତେବେ ଆଜି ପୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସମ୍ପର୍କିତ ଆଡ୍‌ଭାଇଜରି ଜାରି କରଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ ନେଇ ସବୁ ରାଜ୍ୟକୁ ଆଡ଼ଭାଇଜରି ଜାରି କରାଯାଇଛି । କାର୍ଯ୍ୟାଳୟରେ ସତର୍କତାର ସହ କାମ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଜିଲ୍ଲାଗୁଡ଼ିକୁ ୩ ଜୋନ୍‌ରେ ବିଭକ୍ତ କରାଯାଇଛି । ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଲକ୍‌ଡାଉନ୍‌ ସମୟରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନ୍‌ରେ ଦେଶବ୍ୟାପୀ କିଛି ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି । ଏହା ସହ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଯିବା ଆସିବା ବନ୍ଦ କରାଯାଇଛି । ସ୍କୁଲ, କଲେଜ, ମଲ, ଜିମ୍, ବନ୍ଦ ଖୋଲାଯାଇପାରିବ ନାହିଁ । ରେଡ଼ ଜୋନ୍‌ରେ ରିକ୍ସା, ଅଟୋ ରିକ୍ସା ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି । ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।

ତେବେ ଲଭ୍‌ ଅଗ୍ରଓ୍ୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଯେଭଳି ମାତ୍ରାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି ସେହିଭଳି କିଛି ଲୋକ କରୋନା କବଳରୁ ସୁସ୍ଥ ମଧ୍ୟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ମୋଟ ୧୧୭୦୬ ଜଣ ସୁସ୍ଥ ହୋଇଛନ୍ତି । ରିକଭରି ରେଟ୍‌ ଏବେ ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଥିବା ମଧ୍ୟ ଶ୍ରୀ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି ।

ଶ୍ରୀ ଅଗ୍ରଓ୍ୱାଲ ଆହୁରି କହିଛନ୍ତି ଯେ, ଯଦି ଲକ୍‌ଡାଉନ୍‌ ସମୟରେ ନିୟମ କୋହଳ କରାଯାଉଛି ବୋଲି ଲୋକମାନେ ସାମାଜିକ ଦୂରତା ରଖିବେ ନାହିଁ ତେବେ ରୋଗ ବଢ଼ିବାରେ ଲାଗିବ । ଯାହାକି ନିୟନ୍ତ୍ରଣ କରିବା କଷ୍ଟ ହେବ । ଏହାପୂର୍ବରୁ ଗୃହମନ୍ତ୍ରାଳୟର ପ୍ରବକ୍ତା ପୁଷ୍ଣା ସଲିଲ ଶ୍ରୀବାସ୍ତବ କହିଛନ୍ତି ସମ୍ପୂର୍ଣ୍ଣ ଦେଶକୁ ତିନୋଟି ଜୋନ୍‌ରେ ଭାଗ କରାଯାଇଛି । ଜୋନ୍‌ ଗୁଡ଼ିକରେ କିଛି ମାତ୍ରାରେ ନିୟମ କୋହଳ କରାଯାଇଛି ହେଲେ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ନିୟମ କଡ଼ାକଡ଼ି ରହିବା ସହ କୌଣସି ଗତିବିଧି ପାଇଁ ଅନୁମତି ନାହିଁ ।

Leave a Reply