ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୭୦୩ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ନୂଆବର୍ଷ ପରଠାରୁ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୭୯ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ବୟସର ୪୦୯ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୪୫୪, କଟକରେ ୧୯୧, ସମ୍ବଲପୁରରେ ୧୭୯, ଝାରସୁଗୁଡାରେ ୧୦୬ ଓ ଷ୍ଟେଟପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ବରରୁ ୭୩, ବଲାଙ୍ଗୀର ଓ ପୁରୀରୁ ୫୪ଜଣ ଲେଖାଏଁ, ମୟୂରଭଞ୍ଜରୁ ୪୨, ଦେବଗଡ଼ରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୨, କୋରାପୁଟରୁ ୧୯, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ଜଣ ଲେଖାଏଁ, ନୂଆପଡା ଓ ସୋନପୁରରୁ ୧୦ଜଣ ଲେଖାଏଁ, ଗଜପତିରୁ ୯, ଅନୁଗୁଳ ଓ ବୌଦ୍ଧରୁ ୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ଜଣ ଲେଖାଏଁ, ଭଦ୍ରକରୁ ୫, ଢେଙ୍କାନାଳ ଓ କନ୍ଧମାଳରୁ ୩ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୮୨୩୭ ରହିଛି ।

ସେହିପରି ଯଦି ଟିକାକରଣ କଥା କହିବା ତାହାଲେ ରାଜ୍ୟରେ ବର୍ତ୍ତମାନ ୨ ହଜାର ୩୨୦ କେନ୍ଦ୍ରରେ ଟିକାକରଣ ଚାଲିଛି । ଏଥିମଧ୍ୟରୁ ୧୧ ଶହ ୯୧ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୨୩୨ ଜଣଙ୍କୁ ଟିକା ଦିଆସରିଲାଣି । ପ୍ରଥମ ଡୋଜ ଟିକା କଥା ଯଦି କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ବୁଷ୍ଟର ଡୋଜ । ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ପ୍ରିକସନ ଡୋଜ ।

ଆହୁରି ବଢ଼ିବ ସଂକ୍ରମଣ

ଅନ୍ୟ ରାଜ୍ୟ ଗୁଡିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ମାତ୍ର କହି ହେବନି ଯେ ଏହା କେବେ ପିକ ନେବ । ଯେବେ ଗୋଟିଏ ଲହର ଆସେ ବଢେ, କିଛିଦିନ ରହେ ଓ ତା ପରେ ତଳକୁ ଖସେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି, ‘କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସଂକ୍ରମଣ ବଢୁଥିବା ବା ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ରାଜ୍ୟ ସର୍ଭିଲାନ୍ସ ଟିମ ନଜର ରଖିଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରରେ ସଂକ୍ରମଣ ବଢୁଛି । ମାତ୍ର ଆମେ ସବୁ ଜିଲ୍ଲାଗୁଡିକୁ ସମ୍ବେଦନଶୀଳ ଭାବେ ନେଇ କାମ କରୁଛୁ । ରାଜ୍ୟର ଟ୍ରାନ୍ସମିସନ ରେଟ ବହୁତ ହାଇ ରହିଛି । ଆଗକୁ ନିଶ୍ଚିତ ଆହୁରି ଅଧିକ କେସ ଆସିବ ଓ ସବୁ ବର୍ଗରେ ସଂକ୍ରମଣ ବଢ଼ିବ । ମେଡିକାଲରେ ବେଡ଼ ବହୁତ ଫାଙ୍କା ରହିଛି । ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛୁ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରହିଛି ।’

Leave a Reply