ବୁହାନକୁ ଫେରିଲା କରୋନା, ସହରରେ ସବୁ ଲୋକଙ୍କର ହେବ ସ୍ୱାବ୍‌ ଟେଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି ଏବଂ ଅଧିକାଂଶ ଦେଶ ଏହି ମହାମାରୀ ଯୋଗୁଁ ନୟାନ୍ତ ହେଲେଣି । ଗତ ବର୍ଷ ଡିସେମ୍ବରରେ ଚାଇନାର ବୁହାନ ସହରରୁ ପ୍ରଥମେ ଏହି ମାରାତ୍ମକ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା । ତେବେ ପ୍ରଥମେ ଏହି ବୁହାନ ସହରରେ କରୋନାର ଆତଙ୍କ ଦେଖିବାକୁ ମିଳିଥିଲା । ହେଲେ ଚାଇନା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯିବା ପରେ ଏହି ଆତଙ୍କ ଥମିଯାଇଥିଲା । ଦୀର୍ଘ ଦିନ ଧରି କୌଣସି ନୂଆ ମାମଲା ସାମ୍ନାକୁ ଆସିନଥିଲା । ହେଲେ ଗତ ସପ୍ତାହର ପୁଣି ବୁହାନ୍‌ରେ ଏହି କରୋନା ଭୂତାଣୁ କାୟା ମେଲାଇବା ଆରମ୍ଭ କରିଛି । କିଛି ଲୋକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ଉକ୍ତ ଅଞ୍ଚଳରେ ପୁଣି କରୋନା ଟେଷ୍ଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରାୟ ୧.୧୦ କୋଟି ଲୋକଙ୍କର କରୋନା ଟେଷ୍ଟିଂ କରିବାକୁ ସରକାର ଯୋଜନା କରିଛନ୍ତି ।

ମଙ୍ଗଳବାର ଚୀନ୍‌ ଗଣମାଧ୍ୟମ ଗୁଡ଼ିକର କହିବାନୁଯାୟୀ, ଏକ ଆବାସିକ ସମ୍ପ୍ରଦାୟରେ କରୋନା ସଂକ୍ରମଣର ୬ଟି ନୂଆ ମାମଲା ସାମ୍ନାକୁ ଆସିଛି । କରୋନା ସଂସ୍ପର୍ଶରେ ଆସିବା ପରେ ସହରର ସମସ୍ତ ବାସିନ୍ଦାଙ୍କର ପରୀକ୍ଷା କରିବା ପାଇଁ ୧୦ ଦିନିଆ ଯୋଜନା ପ୍ରସ୍ତୁତ କରାଯାଇଛି । ବୁହାନରେ ଏହି ମାମଲା ପୁନର୍ବାର ସାମ୍ନାକୁ ଆସିବା ପରେ ଏଠାରେ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ପୁଣି ଦେଖା ଦେଇଛି ।

Leave a Reply