ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌ :୨୪ ଘଣ୍ଟାରେ ୧୩ ଶହରୁ ଅଧିକ କେସ୍‌,ବିଶ୍ୱରେ ୨୫ ଲକ୍ଷ ୯୨ ହଜାରରୁ ଅଧିକ ପଜିଟିଭ୍‌

1 min read

ଭାରତରେ କାୟା ମେଲାଇ ଚାଲିଛି କରୋନା । ଭୂତାଣୁ ଭୟରେ ୨୫ଟି ରାଜ୍ୟ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି । ୬୮୧ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଶହରୁ ଅଧିକ ନୂଆ ମାମଲା ଆସିଛି। ଗୋଟିଏ ଦିନରେ ୫୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ରହିଛି। ରାଜ୍ୟରେ ୫ହଜାର ୫ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଗୁଜରାଟ ଓ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହିଛି । ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ବି କରୋନା ସଂକ୍ରମଣ ବଢୁଛି। ତେବେ କାଲିଠରୁ ଦେଶରେ ସ୍ଥଗିତ ରହିଛି ରାପିଡ୍‌ ଟେଷ୍ଟ । ସାନି ନିର୍ଦ୍ଦେଶନାମା ଆସିବା ପରେ ରାପିଡ ଟେଷ୍ଟ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ICMR ଉପନିର୍ଦ୍ଦେଶକ ।

ସାରା ବିଶ୍ବରେ ୨୫ ଲକ୍ଷ ୯୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଲକ୍ଷେ ୮୧ ହଜାର ପାର ହେଲାଣି । କେବଳ ଆମେରିକାରେ ୮ ଲକ୍ଷ ୨୦ ହଜାର ପହଁଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଠାରେ ୪୫ ହଜାର ୯୬୨ ରୁ ଉର୍ଦ୍ଧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ନ୍ୟୁୟର୍କ ସହରରେ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିଛି । ସ୍ପେନରେ ଦୁଇ ଲକ୍ଷ ଉର୍ଦ୍ଧ, ଇଟାଲୀରେ ୧ ଲକ୍ଷ ୮୭ ହଜାରରୁ ଉର୍ଦ୍ଧ , ଫ୍ରାନ୍ସରେ ୧ ଲକ୍ଷ ୫୮ ହଜାରରୁ ଉର୍ଦ୍ଧ , ଜର୍ମାନୀରେ ୧ ଲକ୍ଷ ୪୮ ହଜାର, ବ୍ରିଟେନରେ ୧ ଲକ୍ଷ୨୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଚୀନରେ ସମ୍ପୂର୍ଣ୍ଣ ଭାବେ ଆୟତ ହୋଇନାହିଁ ସ୍ଥିତି । ୮୨ ହଜାର ୭ଶହରୁ ଉର୍ଦ୍ଧ ଜଣଙ୍କ ମୃତ୍ୟୁ ହୋଇଛି ।  ପ୍ରତ୍ୟେକ ଦିନ ୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏପଟେ ମେକ୍ସିକୋ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରଥମ ଥର ପାଇଁ ଏକ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଠାରେ ମୃତ୍ୟୁ ସଂଖ୍ୟା ମଧ୍ୟ ୮୫୦ ଟପିଲାଣି ।

 

 

Leave a Reply