spot_img

Latest Posts

ପୁଣି ଗୋଟିଏ ଜିଲ୍ଲାରୁ ଦୁଇ ମୁଣ୍ଡ ନେଲା କରୋନା…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୁଇ ମୁଣ୍ଡ ନେଲା କରୋନା । ଗୋଟିଏ ପଟେ ଗୁରୁବାର ସକାଳୁ ପ୍ରଥମେ ୪୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଉଭୟ ମୃତକ ହେଲେ ଗଞ୍ଜାମ ଜିଲ୍ଲାର । ଜଣେ ୫୧ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉ ଜଣେ ୩୪ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗଞ୍ଜାମରେ ଏବେ ସର୍ବାଧିକ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମରେ ୪୮ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୪୯୪ ଆକ୍ରାନ୍ତଙ୍କ ମଧ୍ୟରେ ୩୨୨ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ୧୭୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳର ଜଣେ ରହିଥିବା ବେଳେ ବାଲେଶ୍ୱରରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୦୭ ଜଣ, ବଲାଙ୍ଗିରରୁ ୩ ଜଣ, ବୌଦ୍ଧରୁ ଦୁଇ ଜଣ, କଟକରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପୁଣିଥରେ ଗଞ୍ଜାମରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫ ଜଣ, କଳାହାଣ୍ଡିରୁ ଦୁଇ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୬୪, କୋରାପୁଟରୁ ୪, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୦୪, ନୟାଗଡ଼ରୁ ୧୬, ନୂଆପଡ଼ାରୁ ୦୯, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା ୩ ଲକ୍ଷ ୬୧ ହଜାର ୯୨୦ ଟେଷ୍ଟିଂ ହୋଇସାରିଛି । ସେଥିମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୩୯୨ ରହିଥିବା ବେଳେ ୧୦ ହଜାର ୪୭୬ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୪ ହଜାର ୮୧୩ ମାମଲା ଏବେ ସକ୍ରିୟ ରହିଛି ।

Latest Posts

Don't Miss