ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସ୍ଥିତି ସଙ୍ଗିନ, କରୋନା ସଂକ୍ରମଣ ଉପର ମୁହାଁ

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସ୍ଥିତି ସଙ୍ଗିନ। ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୬ ହଜାର ୨୯୧ସଂକ୍ରମିତ। ଆଉ ୧୧୮ଜଣଙ୍କ ଜୀବନ ଯାଇଥିବା ବେଳେ, ୧୭ ହଜାର ୪୫୫ ଜଣ ସୁସ୍ଥ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୧୩ ଲକ୍ଷ ୮୫ ହଜାର ୩୩୯ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୧କୋଟି ୧୦ ଲକ୍ଷ ୭ ହାଜାର ୩୫୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଏବେବି ସାରା ଦେଶରେ ୨ଲକ୍ଷ ୧୯ ହଜାର ୨୬୨ ସକ୍ରିୟ ମାମଲା ଥିବା ବେଳେ, ୧ଲକ୍ଷ ୫୮ ହଜାର ୭୨୫ ଜଣଙ୍କ ମୃତ୍ୟୁ ହୋଇଛି । ସାରାଦେଶରେ ଟିକାକରଣ ଜାରି ଥିବାବେଳେ, ଏବେ ସୁଦ୍ଧା ୨ କୋଟି ୯୯ ଲକ୍ଷ ୮ହଜାର ୩୮ ଜଣଙ୍କୁ ଟିକା ଦିଆଯାଇଛି। ଦେଶରେ ସବୁଠୁ ଅଧିକ ଖରାପ ସ୍ଥିତିରେ ରହିଛି ମହାରାଷ୍ଟ୍ର। ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‌ଡାଉନ୍ ଜାରି କରାଯାଇଛି।

କଟକଣା ନମାନିଲେ ପୁଣି କଡ଼ାକଡ଼ି କଟକଣା ଜାରି କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଚେତାବନୀ ଦେଇଛନ୍ତି । ସେପଟେ କର୍ଣ୍ଣାଟକରେ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ନିୟମ କଡ଼ାକଡ଼ି ଭାବେ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବରେ ରାତ୍ରିକାଳୀନ କଟକଣା ଜାରି ରହିଥିବା ବେଳେ ଇନ୍ଦୋର ଓ ଭୋପାଳରେ କର୍ଫ୍ୟୁ ଲଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।

Leave a Reply