ଆପଣ ଜାଣନ୍ତି କି କରୋନା ବିରୋଧରେ ରକ୍ଷା କବଚ ସାଜିଥିବା ସାବୁନର ଇତିହାସ କଣ ?

ନୂଆଦିଲ୍ଲୀ: ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନାଠୁ ବଞ୍ଚିବାକୁ ସଂଘର୍ଷ କରୁଛି, ଏଭଳି ପରିସ୍ଥିତିରେ ସାବୁନ ଏକମାତ୍ରା ସାହାରା ପାଲଟିଛି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହି କରୋନା ସମୟରେ ସାହାରା ହୋଇଥିବା ସାବୁନ କିପରି ଆପଣଙ୍କ ହାତରେ ପହଞ୍ଚିଛି ? କରୋନା ସମୟରେ ସାମାନ୍ୟ ଦେଖାଯାଉଥିବା ସାବୁନ୍ କିପରି ସ୍ୱତନ୍ତ୍ର ? ଜୀବନ ରକ୍ଷାକାରୀ ସାବୁନ୍ କିପରି ଓ କେବେ ଜନ୍ମ ହୋଇଛି ? କିଏ ଏହାର ଉଦ୍ଭାବକ ? ଏବଂ ସାବୁନ୍ କିପରି ମାନବିକତାର ସୁପର ସେଭର୍ ହେଲା ?

ସାବୁନର ଇତିହାସ ୬୦୦୦ ବର୍ଷ ପୁରୁଣା

୨୦ ସେକେଣ୍ଡରେ କରୋନାକୁ ମାରୁଥିବା ସାବୁନର ଇତିହାସ ପ୍ରାୟ ୬୦୦୦ ବର୍ଷ ପୁରୁଣା । ସାବୁନ୍ ଯାହାକୁ ଇଂରାଜୀରେ ସୋପ କୁହାଯାଏ ଏହି ଶବ୍ଦର ଉତ୍ପତ୍ତି ରୋମର ମାଉଣ୍ଟ ସୈପୋରୁ ହୋଇଛି । ରୋମରେ ଥିବା ମାଉଣ୍ଟ ସୈପୋ ନାମକ ଏକ ପାହାଡ ଉପରେ ଦେବତାମାନଙ୍କ ପାଇଁ ବଳି ଦିଆଯାଇଥାଏ । ବଳି ପରେ ରହିଯାଇଥିବା ପଶୁମାନଙ୍କର ଚର୍ବି ଏବଂ କାଠର ପାଉଁଶ ମିଶ୍ରଣକୁ ପାହାଡ ତଳେ ତିବର ନଦୀରେ ପକାଇ ଦିଆଯାଇଥାଏ । ପରେ ସେହି ନଦୀରେ କପଡ଼ା ଧୋଉଥିବା ବା ସଫା କରୁଥିବା ମହିଳାମାନେ ଏହାକୁ ବ୍ୟବହାର କରିଥିଲେ ଏବଂ ପରେ ଏହାକୁ ଦେବତାମାନଙ୍କର ଉପହାର ବୋଲି ମାନି ନେଇଥିଲେ । ତେବେ ଏହି ମିଶ୍ରଣରୁ ହିଁ ସାବୁନର ଉତ୍ପତ୍ତି ହୋଇଥିବା ବିବେଚନା କରାଯାଉଛି ।

ସାବୁନ ବିଷୟରେ ପ୍ରଥମେ ଲିଖିତ ଭାବେ ଇରାକର ଗିରସୁ ସହରରୁ ମିଳିଥିଲା ​। ଗିରସୁରେ ମିଳିଥିବା କ୍ୟୁନିଫାର୍ମ ଶିଳାରେ ସାବୁନର ବର୍ଣ୍ଣନା ଲିଖିତ ଭାବେ ରହିଛି । ରାସାୟନିକ ପୂରାତତ୍ତ୍ୱବିତ୍ ମାର୍ଟିନ ଲେବିଙ୍କ ଅନୁଯାୟୀ, ଏହି ଶିଳାଲେଖା ୪,୫୦୦ ବର୍ଷ ପୂର୍ବେ ଲେଖାଯାଇଥିଲା।

ଆଜି ଆମେ ଯେଉଁ କଠିନ ସାବୁନକୁ ଦେଖୁଛେ ତାହାର ପ୍ରମାଣ ୨୮୦୦ ବର୍ଷ ପୂର୍ବେ ମିଳିଥିଲା । ପ୍ରାୟ ୨୮୦୦ ବର୍ଷ ପୂର୍ବେ ବେବିଲୋନିଆନ, ମେସୋପୋଟାମିଆନ୍ ଏବଂ ଇଜିପ୍ଟୀୟମାନେ ଚର୍ବି, ତେଲ ଏବଂ ଲୁଣ ମିଶ୍ରଣ କରି ସାବୁନ୍ ତିଆରି କରିଥିଲେ । ୨୮୦୦ ବର୍ଷ ପୂର୍ବେ ସାବୁନ ବାସନ ଏବଂ ସଫା କରିବା ପାଇଁ ବ୍ୟବହୃତ ହେଉଥିଲା, ଗାଧୋଇବା ଏବଂ ହାତ ଧୋଇବା ପାଇଁ ନୁହେଁ ।

ସାବୁନ ପ୍ଲେଗ୍ ମହାମାରୀର କାରଣ ବୋଲି ବିବେଚନା କରାଯାଉଥିଲା

ଆଜି ସାବୁନ ଯାହା କରୋନା ବିରୁଦ୍ଧରେ ରକ୍ଷା କବଚ ସାଜିଛି । ଇତିହାସରେ ଏପରି ଏକ ସମୟ ଥିଲା ଯେତେବେଳେ ସାବୁନ ମହାମାରୀର କାରଣ ବୋଲି ବିବେଚନା କରାଯାଇଥିଲା । ୧୫ ତମ ଶତାବ୍ଦୀରେ ୟୁରୋପରେ ସର୍ବସାଧାରଣ ବାଥରୁମ ରହିଥିଲା । ଯେଉଁଥିରେ ସ୍ନାନ ପାଇଁ ସାବୁନର ମିଶ୍ରଣ ବ୍ୟବହୃତ ହେଉଥିଲା । ମୂଷାମାନଙ୍କଠାରୁ ପ୍ଲେଗ୍ ମହାମାରୀ ରୋଗ ବ୍ୟାପିଥିଲା କିନ୍ତୁ ଲୋକମାନେ ବିଶ୍ୱାସ କରୁଥିଲେ ଯେ ସର୍ବସାଧାରଣ ବାଥରୁମ ସାବୁନ ପାଇଁ ଏହି ମହାମାରୀ ବ୍ୟାପୁଛି । ତେଣୁ ଶରୀରରେ ସାବୁନ ଲଗାବାକୁ ବନ୍ଦ କରିଦିଆ ଯାଇଥିଲା । କିନ୍ତୁ ଏହି ସମୟରେ ଲୋକମାନେ ପୋଷାକ ଧୋଇବା ପାଇଁ ସାବୁନ ବ୍ୟବହାର କରୁଥିଲେ |

୧୭ ତମ ଶତାବ୍ଦୀ ପରେ ସର୍ବ ସାଧାରଣ ବାଥରୁମରେ ଏହାର ବ୍ୟବହାର ପୁନଃ ଆରମ୍ଭ ହୋଇଥିଲା । ଏବଂ ଲୋକମାନେ ସାବୁନ ତିଆରି କରିବାର ନୂତନ ଉପାୟ ମଧ୍ୟ ଆବିଷ୍କାର କରିଲେ । ଏହା ଘରର ମହିଳାମାନଙ୍କ ପାଇଁ ଏକ ନିୟମିତ କାର୍ଯ୍ୟରେ ପରିଣତ ହେଲା ଏବଂ ଏହା ଏକ ଶିଳ୍ପ ପରି ବିବେଚନା କରାଗଲା ।

ଉନବିଂଶ ଶତାବ୍ଦୀରେ ସାବୁନ କାରବାର ଆରମ୍ଭ ହୋଇଥିଲା

ଉନବିଂଶ ଶତାବ୍ଦୀରେ ଆମେରିକୀୟ ଲୋକମାନେ ଭାବିଥିଲେ ଯେ ସେମାନେ ଏଥିରୁ ଟଙ୍କା ରୋଜଗାର କରିପାରିବେ ।  ଏଥିପାଇଁ ସେମାନେ କୃଷକମାନଙ୍କଠାରୁ ପଶୁ ଚର୍ବି ଏବଂ କାଠ ପାଉଁଶ କିଣିଥିଲେ । ସେ ସାବୁନ ତିଆରି କରି ବିକ୍ରେତାମାନଙ୍କୁ ଲୋକମାନଙ୍କ ପାଖକୁ ପଠାଇଲେ । ଏହାପରେ ସାବୁନ୍ ବହୁତ୍ ଶୀଘ୍ର ସମସ୍ତ ଷ୍ଟୋର୍‌ରେ ପହଞ୍ଚିଲା । ଏହାର ପରିଣତି ସାବୁନ ଏବେ ଆପଣଙ୍କ ହାତରେ । ୬ହଜାର ବର୍ଷ ପୂରୁଣା ସାବୁନ ଏବେ କରୋନା ଯୁଦ୍ଧ ପାଇଁ ଅସ୍ତ୍ର ପାଲଟିଛି ।

Leave a Reply