କର୍ମଚାରୀ କରୋନା ସଂକ୍ରମିତ, ଭୀମସାର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସିଲ୍

ସମ୍ବଲପୁର:  ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଟେଷ୍ଟିଂ ବଢୁଥିବା ବେଳେ ନୂଆନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଭୀମସାର ମେଡ଼ିକାଲରେ କରୋନା ତାର ଭୟାବହତା ଦେଖାଇବା ପରେ ଏବେ ଭୀମସାର ଅଧିକ୍ଷକ କାର୍ଯ୍ୟାଳୟରେ ପଶିଛି କରୋନା । ବୁର୍ଲା ଭୀମସାର ସୁପରିଟେଣ୍ଡଣ୍ଟ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଭୀମସାର ସୁପରିଟେଣ୍ଡଣ୍ଟ ଜୟଶ୍ରୀ ଦୋରା ।

ପଜିଟିଭ୍ ଚିହ୍ନଟ ପରେ ଅଫିସକୁ ସାନିଟାଇଜ କରି ସିଲ୍ କରିବା ସହ ୨ ଦିନ ପାଇଁ ସାମୟିକ ଭାବେ ବନ୍ଦ କରାଯାଇଛି । ତେବେ ଜରୁରୀକାଳୀନ କାମ ପାଇଁ ଅନ୍ୟ ଗୃହରେ ସୁପରିଟେଣ୍ଡଣ୍ଟ ଅଫିସ କାର୍ଯ୍ୟକାରୀ କରିବ ବୋଲି ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ଏହାସହ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ ହୋଇଛି । କଣ୍ଟାକ୍ଟ ଟ୍ରେସିଂକୁ ଆଧାର କରି ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ୱାରେଣ୍ଟାନକୁ ପଠାଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ ଭୀମସାର ବ୍ଲଡ ବ୍ୟାଙ୍କରେ ମଧ୍ୟ କାମ କରୁଥିବା ସୂଚନା ମିଳିଛି । ତେଣୁ ଏବେ ବ୍ଲଡ଼ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ପଜିଟିଭ୍ ଆସିବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଛି । ଏହା ସହ ବ୍ଲଡ ବ୍ୟାଙ୍କକୁ ସାନିଟାଇଜ୍ କରାଯାଇଛ ।

Leave a Reply