ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କଲବଲ କରୁଛି କରୋନା ଭୂତାଣୁ । ମାଡ଼ି ମାଡ଼ି ଚାଲିଛି । ଲୋକଙ୍କ ପାଖରୁ ଲୋକଙ୍କ ପାଖକୁ ଡେଉଁଛି । ଦେଶରେ ଲକ୍ଷେ ଟପିଛି ଦୈନିକ ସଂକ୍ରମଣ । ଦିନକରେ ଏକ ଲକ୍ଷ ୧୭ ହଜାର ଶହେ ପିଜିଟିଭ ଚିହ୍ନଟ ହୋଇଛନ୍ତି । ୩୦୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୩୦ ହଜାର ୮୩୬ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
ଦେଶର ଦୈନିକ ପିଜିଟିଭିଟି ୭.୭୪ ପ୍ରତିଶତ ରହିଛି । କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୭୧ ହଜାର ୩୬୩ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮ । ଏପଟେ ଜୋରସୋରରେ ଚାଲିଛି ଟିକାକରଣ । ୧୪୯.୬୬ କୋଟି ଟିକାକରଣ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭କୁ ବୃଦ୍ଧି ପାଇଛି । ୧୧୯୯ ଜଣ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହେଲେଣି ୩୮୨ ଓମିକ୍ରନ ଆକ୍ରାନ୍ତ ।