spot_img

Latest Posts

ଭାରତରେ କମୁଛି କରୋନା ସଂକ୍ରମଣ ମାମଲା, ଜାଣନ୍ତୁ ଦିନକରେ କେତେ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି । ଗୋଟିଏ ଦିନରେ ସାରା ଦେଶରେ ୧୬ ହଜାର ୫୦୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏବେ ସୁଦ୍ଧା ସାରା ଦେଶରେ ୨ ଲକ୍ଷ ୪୩ ହଜାର ୯୫୩ ଆକ୍ଟିଭ କେସ୍ ରହିଛି । ଏହାବ୍ୟତୀତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୬୪୯ରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥତା ହାର ବି ବଢୁଛି । ଗତ ୨୪ ଘଣ୍ଟାରେ ୧୯ ହଜାର ୫୫୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ମୋଟ ୯୯ ଲକ୍ଷ ୪୬ ହଜାର ୮୬୭ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସେପଟେ କରୋନାକୁ ମାତ୍‌ ଦେବାକୁ ଭାରତରେ ୨ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ଖୁବ୍‌ଶୀଘ୍ର ସାରା ଦେଶରେ ଟିକାକରଣ ଆରମ୍ଭ ହେବ । ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିଲା ବେଳେ ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଛି । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଚୂଡ଼ାନ୍ତ ଅନୁମତି ଦିଆଯିବା ମାତ୍ରେ ପ୍ରାୟ ୭ ରୁ ୧୦ ଦିନ ମଧ୍ୟରେ ଟୀକାକରଣ ଆରମ୍ଭ ହୋଇପାରେ।

ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରିଥିଲା। ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଶିଲ୍ଡ ଅନୁମୋଦନ ପାଇବା ପରେ ଖୁସି ବ୍ୟକ୍ତ କରିଥିଲେ। କରୋନା ବିରାେଧରେ ଦେଶବାସୀ ଲଢେଇ ଜାରି ରଖିଥିବା ବେଳେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପରେ ଜନସାଧାରଣ ଆଶ୍ୱସ୍ତୀ ଅନୁଭବ କରିଥିବା ଜଣାପଡିଛି ।

ସେହିପରି ୨ ଟିକାର ବ୍ୟବହାରକୁ ଅନୁମତି ଦେବା ପରେ ଡିସିଜିଆଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଟିକା ୧୧୦% ସୁରକ୍ଷିତ । କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ । ଜର ହେବା, ଆଲାର୍ଜି ଓ ଦରଜ କରିବା ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟ ସମସ୍ତ ଭ୍ୟାକ୍ସିନରେ ଦେଖାଯାଏ ।  ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଡିସିଜିଆଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବି ଅସୁବିଧା ଥିଲେ ଟିକାକୁ ଅନୁମତି ଦିଆଯିବ ନାହିଁ ।

Latest Posts

Don't Miss