କାୟା ମେଲାଉଛି କୋରୋନା, ୭ ମାସର ରେକର୍ଡ ଭାଙ୍ଗି ପଜିଟିଭ ଛୁଇଁଲାଣି ୮୦୦

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୭୯୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏବେ ସର୍ବମୋଟ ପଜିଟିଭ ସଂଖ୍ୟା ୪୦୯୧ରେ ପହଞ୍ଚିଛି  । ଚଳିତ ବର୍ଷ ମେ ୧୯ ପରେ ଦିନକରେ କୋରୋନା ଭାଇରସ ସଂକ୍ରମଣ ଏତେ ସଂଖ୍ୟାରେ ପହଞ୍ଚିଛି  । ୭ ମାସ ପରେ ଭାରତରେ ଦିନକରେ କୋଭିଡ ସଂଖ୍ୟା ପାଖାପାଖି ୮୦୦ ଛୁଇଁଛି  ।

ସେହିପରି ୨୪ ଘଣ୍ଟାରେ କୋରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି  । କେରଳରେ ୨, ମହାରାଷ୍ଟ୍ର, ପଣ୍ଡିଚେରୀ ଓ ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି  ।

ଏହା ପୂର୍ବରୁ ଦେଶରେ ମେ ୧୯ରେ ୮୬୫ ନୂଆ କୋଭିଡ ମାମଲା ସାମନାକୁ ଆସିଥିଲା  । ଗତ ଡିସେମ୍ବର ୫ ପର୍ଯ୍ୟନ୍ତ ଦୈନିକ ମାମଲା ସଂଖ୍ୟା ଦୁଇ ଅଙ୍କରେ ରହିଥିଲା  ।

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢେ ଚାରି କୋଟିରୁ ଅଧିକ ଲୋକେ କୋରୋନାରେ ସଂକ୍ରମିତ ହୋଇଥିରଲେ  । ସାଢେ ୫ ଲକ୍ଷରୁ ଅଧିକ କୋରୋନାରେ ପ୍ରାଣ ହରାଇଥିଲେ  । ସେପଟେ ଦେଶରେ କୋଭିଡ ୧୯ ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୨୨୦.୬୭ କୋଟି ଲୋକେ ଟୀକା ନେଇସାରିଛନ୍ତି  ।