spot_img

Latest Posts

କରୋନା ଭୟାବହତା: ୨୦୨୨ ଯାଏ ଜାରି କରାଯାଇପାରେ ସୋସିଆଲ ଡିସଣ୍ଟାସିଂ

ୱାଶିଂଟନ: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଅଦ୍ୟାବଧି ବିଶ୍ୱର କୌଣସି ରାଷ୍ଟ୍ର ଭାକ୍‌ସିନ ପ୍ରସ୍ତୁତ କରିପାରି ନାହାନ୍ତି। ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂ ହିଁ ଏହି ଘାତକ ମହାମାରୀରୁ ମୁକ୍ତି ପାଇଁ ଏକମାତ୍ର ଔଷଧ ବୋଲି ବିବେଚନା କରାଯାଉଛି। ତେବେ ସୋସିଆଲ୍‌ ଡିଷ୍ଟାନ୍ସିଂ ଅବଲମ୍ବନ ଲାଗି କେବଳ ଗୋଟିଏ ଥର ଲକ୍‌ଡାଉନ୍‌ କରିଦେଲେ ଏହି ଭୂତାଣୁ ନିୟନ୍ତ୍ରଣକୁ ଆସିବ ନାହିଁ। ବର୍ଷ ବର୍ଷ ଧରି ମଝିରେ ମଝିରେ ଏହି ଉପାୟକୁ ଆପଣାଇବାକୁ ପଡ଼ିବ। ଅନ୍ତତଃ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି।

ଜର୍ନାଲ ସାଇନ୍ସରେ ପ୍ରକାଶିତ ନିବନ୍ଧ ଅନୁସାରେ ଥରେ ଲକ୍‌ଡାଉନ୍‌ କରିଦେବା ଫଳରେ ମହାମାରୀ କରୋନା ନିୟନ୍ତ୍ରଣକୁ ଆସିବ ନାହିଁ। କଟକଣା ନିରନ୍ତର ଲାଗି ନ ରହିଲେ ଏହାର ଅତିରିକ୍ତ ବୃଦ୍ଧି ବର୍ତ୍ତମାନଠାରୁ ଆହୁରି ଭୟଙ୍କର ହୋଇପାରେ। ଏପରି କି ଭାକ୍‌ସିନ ନ ବାହାରିଲେ ଅଥବା ପ୍ରଭାବଶାଳୀ ଚିକିତ୍ସା କରା ନ ଗଲେ ୨୦୨୫ ପର୍ଯ୍ୟନ୍ତ କରୋନା ଭାଇରସ୍‌ ପୁଣି ମୁଣ୍ଡ ଟେକିପାରେ ବୋଲି ହାଭାର୍ଡ ୟୁନିଭର୍ସିଟିର ଏପିଡେମିଓଲୋଜି ପ୍ରଫେସର ମାର୍କ ଲିପ୍‌ଷ୍ଟିକ୍‌ ସତର୍କ କରାଇଦେଇଛନ୍ତି।

ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନ ଆନୁକୂଲ୍ୟରେ ଅଧ୍ୟୟନର ନେତୃତ୍ୱ ନେଇଥିବା ଲିପ୍‌ଷ୍ଟିକ୍‌ କହିଛନ୍ତି, ସଂକ୍ରମଣ ମୁଖ୍ୟତଃ ଦୁଇ ପ୍ରକାର ଲୋକଙ୍କଠାରୁ ବଢ଼ିଥାଏ। ଗୋଟିଏ ହେଲା ସଂକ୍ରମିତ ଓ ଅନ୍ୟଟି ଅତି ସମ୍ବେଦନଶୀଳ ବ୍ୟକ୍ତିଙ୍କଠାରୁ। ଯଦି ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଉପଲବ୍ଧ ନ ଥିବ ତେବେ ବହୁସଂଖ୍ୟକ ଲୋକଙ୍କ ଜୀବନ ବିପଦ ମଧ୍ୟକୁ ଠେଲି ହୋଇଯିବା ଆଶଙ୍କା ରହିଛି।

୨୦୨୦ ଗ୍ରୀଷ୍ମରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ ପାଇବ ବୋଲି ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଭୁଲ ପ୍ରମାଣିତ ହୋଇଛି ବୋଲି ଲିପ୍‌ଷ୍ଟିକ୍‌ କହିଛନ୍ତି। ତାଙ୍କର ଏହି ରିପୋର୍ଟ ଆମେରିକା ସରକାରଙ୍କ ସାଇଣ୍ଟିଫିକ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଫର୍‌ ଏମର୍ଜେନ୍ସି (ସେଜ୍‌) ପକ୍ଷରୁ ଉନ୍ମୋଚିତ ହୋଇଛି। ହାଭାର୍ଡ ଟି.ଏଚ୍‌. ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ଗବେଷକମାନେ ମଧ୍ୟ ଅନୁରୂପ ମତବ୍ୟକ୍ତ କରି ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି।

Latest Posts

Don't Miss