ମେ’୩ ପରେ କ’ଣ ରହିବ ରଣନୀତି, ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ସଂଙ୍କଟ ଓ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେ ବୈଠକରେ ବିଶେଷ ଆଲୋଚନା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ମେ’ ୩ ପରେ ସରକାରଙ୍କ ରଣନୀତି କ’ଣ ରହିବ ଏବଂ ମେ’ ୪ ରୁ କେଉଁ ସବୁ କ୍ଷେତ୍ରରେ ନିୟମ କୋହଳ କରାଯିବ ସେନେଇ ବୈଠକରେ ଚର୍ଚ୍ଚା କରାଯାଇଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନୂତନ ଗାଇଡ୍‌ଲାଇନ୍‌ ପ୍ରକାଶ କରାଯାଇପାରେ ବୋଲି ସୂଚନା ରହିଛି ।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ’ ୩ରେ ଶେଷ ହେଉଛି । ଏହା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରିସାରିଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣକୁ ରୋକିବା, ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।

କରୋନା ସହ ଲଢ଼େଇ କରିବା ପାଇଁ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଲକ୍‌ଡାଉନ୍‌ ଖୋଲିବା ପୂର୍ବରୁ ସାରା ଦେଶକୁ ୩ଟି ଜୋନ୍‌ରେ ବଣ୍ଟି ଦିଆଯାଇଛି । କିନ୍ତୁ ଏବେ ମେ’୩ ପରେ କେଉଁ ଜିଲ୍ଲା କେଉଁ ଜୋନ୍‌ରେ ରହିବ ସେନେଇ ଏକ ନୂଆ ତାଲିକା ପ୍ରସ୍ତୁତ କରାଯାଇଛି । ଉକ୍ତ ତାଲିକାରେ, ରେଡ୍‌ ଜୋନ୍‌ରେ ୧୩୦ଟି ଜିଲ୍ଲା ରହିଥିବା ବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ଓ ୩୧୯ ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି । ମେଟ୍ରୋ ସହର ଗୁଡ଼ିକ ରେଡ୍‌ ଜୋନ୍‌ରେ ହିଁ ରହିବ ବୋଲି ଜଣାପଡ଼ିଛି ।

Leave a Reply