ସର୍ଭେରୁ ଆସିଲା ଆଶ୍ୱସ୍ତିକର ତଥ୍ୟ, ବୟସ୍କ ଓ ଶିଶୁଙ୍କ ମଧ୍ୟରେ କରୋନା ସଂକ୍ରମଣ ହାର ସମାନ

1 min read
Corona Infection Rate Equal Between Adult And Children Says ICMR Survey

ଭୁବନେଶ୍ୱର: କରୋନା ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୂର୍ବଭଳି କୋଭିଡ୍‌ ସଂକ୍ରମିତଙ୍କ ପାଇଁ ବେଡ୍ ପ୍ରସ୍ତୁତ ରଖିବା ସହ ଅତିରିକ୍ତ ମାନବ ସମ୍ବଳ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ ଜାରି ରହିବା ସହ ଦାୟିତ୍ୱରେ ଥିବା ବ୍ୟକ୍ତି ନଭେମ୍ବର ୩୦ ଯାଏ ସେହି କାମରେ ନିୟୋଜିତ ରହିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆଉଟସୋର୍ସ କର୍ମଚାରୀଙ୍କୁ ‘ନିର୍ମଳ ସ୍କିମ’ରୁ ଅର୍ଥ ପ୍ରଦାନ କରାଯିବ । ତେଣୁ ଡାକ୍ତର, ନର୍ସ, ଲ୍ୟାବ ଟେକ୍ନିସିଆନ, ଫାର୍ମାସିଷ୍ଟଙ୍କ ସହ ମ୍ୟାନେଜର, ଓ ଡିଇଓଙ୍କୁ ମଧ୍ୟ ପୂର୍ବଭଳି ପ୍ରାପ୍ୟ ବ୍ୟବସ୍ଥା କରାଯାଇଛି । ଏଚଏସଏସ-ଏନଏଚଏମ ଫଣ୍ଡରୁ ସମସ୍ତଙ୍କୁ ପ୍ରାପ୍ୟ ଦିଆଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

ଅନ୍ୟପଟେ କରୋନା ନେଇ ଆରଏମ୍ଆରସିର ନୂଆ ସର୍ଭେ ରିପୋର୍ଟ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ । ତେବେ ଅନ୍ୟବର୍ଗ ଅପେକ୍ଷା କେବଳ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଯେତେବେଳେ ଅନ୍ୟବର୍ଗର ଲୋକ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଆରଏମ୍ଆରସି ଭୁବନେଶ୍ୱର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୭୫ ହଜାର ୧୯୦ ଜଣ ଅର୍ଥାତ୍ ୧୩ ପ୍ରତିଶତ ସଂକ୍ରମିତ ରହିଥିଲେ ।

Corona Infection Rate Equal Between Adult And Children Says ICMR Survey

ସେଥିମଧ୍ୟରୁ ୫ ହଜାର ୯୮୮ ଜଣ ୧୮ ବର୍ଷରୁ କମ ବୟସର ଶିଶୁ ଥିବାବେଳେ ୬୯ ହଜାର ୨୦୨ ଜଣ ବିଭିନ୍ନ ବର୍ଗର । ଶୂନରୁ ୧୭ ବର୍ଷ ମଧ୍ୟରେ ୧୧.୬ ପ୍ରତିଶତ ରହିଛନ୍ତି । ୬ରୁ ୯ ବର୍ଷ ମଧ୍ୟରେ ୧୨.୯୬ ପ୍ରତିଶତ ଥିବାବେଳେ ଶୂନରୁ ୫ ବର୍ଷ ମଧ୍ୟରେ ୯.୦୭ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ଦୁଇଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡ଼ିଶାରେ ଶୂନରୁ ୧୭ ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ ୦.୦୫ ପ୍ରତିଶତ ଏବଂ ୦.୦୩ ପ୍ରତିଶତ ଥିଲା । ଯାହା ସାମମଗ୍ରିକ ମୃତ୍ୟୁ ହାରର ୦.୭୫ ପ୍ରତିଶତ ଠାରୁ ବହୁତ କମ୍ ।

୨୦୨୧ ମସିହାରେ ଶୂନରୁ ୬ ବର୍ଷ ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ୧୪ ବର୍ଷ ମଧ୍ୟରେ ୧୧ ଜଣଙ୍କ ଜୀବନ ଯାଇଛି । ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । କରୋନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେରୁ ଜଣାପଡ଼ିଛି, କରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ଯେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି ।

Leave a Reply