କରୋନା ନେଗେଟିଭ ରିପୋର୍ଟ ବିନା ମହାରାଷ୍ଟ୍ରରେ ମିଳିବନି ଏଣ୍ଟ୍ରି

1 min read
Coronavirus

ମୁମ୍ବାଇ: କରୋନା ନେଗେଟିଭ ରିପୋର୍ଟ ବିନା ମହାରାଷ୍ଟ୍ରରେ ବାହାର ଲୋକଙ୍କୁ ପ୍ରବେଶ ଅନୁମତି ମିଳିବନି ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି କରୋନାକୁ ନିୟନ୍ତ୍ରଣ କରାନଯାଏ ତାହେଲ ସୁନାମି ଭଳି ସ୍ଥିତି ଉପୁଜିବ । ଶୀତ, ପ୍ରଦୂଷଣ ଏବଂ ପାର୍ବଣ ଋତୁରେ ଜନସାଧାରଣ ବେପରୁଆ ହେଲେ ଆଗାମୀ ଦିନରେ କରୋନା ସ୍ଥିତି ଭୟଙ୍କର ହେବ ।

ଦିଲ୍ଲୀରେ କରୋନ। ସଂକ୍ରମଣରେ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଅନ୍ୟ ରାଜ୍ୟ ତୁଳନାରେ କରୋନା ପାଇଁ ସବୁଠୁ ଅଧିକ ସତର୍କ ହୋଇଛନ୍ତି। ଯେଉଁଥିପାଇଁ ଅନ୍ୟ ରାଜ୍ୟରୁ ମୁମ୍ବାଇକୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର ।

ଉକ୍ତ କଟକଣା ଅନୁଯାୟୀ ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ ଓ ଗୋଆରୁ ଆସୁଥିବା ବିମାନ ଯାତ୍ରୀଙ୍କର କରୋନା ନେଗେଟିଭ ରିପୋର୍ଟ ନ ଥିଲେ କାହାରିକୁ ବି ପ୍ରବେଶ ଅନୁମତି ନାହିଁ।

ସେହି ନିୟମ ଗୁଡିକ ମଧ୍ୟରେ ରହିଛି-

• ବିମାନ ବନ୍ଦରରେ ବୋର୍ଡିଂ ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କର ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ପଡିବ ।
• ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଏହି ନେଗେଟିଭ ରିପୋର୍ଟକୁ ବିମାନବନ୍ଦରରେ ଦେଖାଇବାକୁ ପଡିବ ।
• ମହାରାଷ୍ଟ୍ରରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କର କରୋନା ଯାଞ୍ଚ କରାଇବାକୁ ପଡିବ ।

ସେହିପରି ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, ଗୋଆରୁ ଆସୁଥିବା ଯାତ୍ରୀମାନଙ୍କର ଯଦି କରୋନା ନେଗେଟିଭ ରିପୋର୍ଟ ନଥାଏ , ତାହେଲେ ସେମାନଙ୍କୁ ବିମାନବନ୍ଦରରେ ଆରଟିପିସିଆର ଟେଷ୍ଟ ପାଇଁ ଟଙ୍କା ଦେବାକୁ ପଡିବ। ଟେଷ୍ଟ ପରେ ଯାଇ ସେମାନେ ଘରକୁ ଯାଇପାରିବେ।

ଉକ୍ତ ଯାତ୍ରୀଙ୍କ ମଧ୍ୟରେ ଯଦି କାହାର ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପ୍ରୋଟୋକଲ ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ।

Leave a Reply