କୋକେଇ ପାଇଁ ଅଭାବ ପଡ଼ିଲା କାନ୍ଧ, ଭାଡ଼ାରେ ଡକାହେଲା ଲୋକ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସବୁଠି ହାହାକାର ଲାଗିଛି । ସାରା ବଶ୍ୱରେ ଏବେ ୨ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ମଧ୍ୟ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଲକ୍‌ଡାଉନ୍‌ ଯୋଗୁଁ ଭାରତରେ କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ଏବେ ଏମିତି ସମୟ ଆସିଛି, ଶେଷ କୃତ୍ୟରେ ମଧ୍ୟ ଲୋକ ଏକାଠି ହୋଇପାରୁ ନାହାନ୍ତି ।

ମଙ୍ଗଳବାର ପୂର୍ବ ଦିଲ୍ଲୀ କୃଷ୍ଣାନଗର ଅଞ୍ଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ କୋକେଇକୁ କାନ୍ଧ ଦେବା ପାଇଁ ମଧ୍ୟ ୪ ଜଣ ଲୋକ ଏକାଠି ହୋଇପାରିଲେ ନାହିଁ । ଶେଷରେ ଚତୁର୍ଥ ଲୋକକୁ ଟଙ୍କା ଦେଇ କାନ୍ଧ ଦେବାକୁ ନିବେଦନ କରାଗଲା ।

 ୬୫ ବର୍ଷିୟ ମହିଳା ଅନେକ ଦିନ ଧରି କଡ୍‌ନୀ ରୋଗରେ ଅସୁସ୍ଥ ଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ପୁଅ ମା’ଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣିଥିଲା । ସାହି ଲୋକ ରାତାରାତି ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ କରିଥିଲେ । ହେଲେ କେହି ବି ସ୍ମସାନକୁ ଯିବାକୁ ରାଜି ନଥିଲେ । ପୁଅ ନିଜେ ମା’ଙ୍କୁ ନିଗମବୋଧ ସ୍ମସାନକୁ ନେଇଥିଲା । ଖବର ପାଇ ‘ନର ସେବା, ନାରାୟଣ ସେବା ମିତ୍ର ମଣ୍ଡଳ’ ସଂସ୍ଥାର କିଛି ସଦସ୍ୟ କୃଷ୍ଣ ନଗରରେ ପହଞ୍ଚିଥିଲେ । ପୁଅ ସହ କିଛି ବନ୍ଧୁ ବାନ୍ଧବ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ତୁରନ୍ତ ଜଣକୁ କଫନ୍‌ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଥିଲା, ସେ ମଧ୍ୟ କଫନ ଧରି ପହଞ୍ଚିଥିଲା ।

ତେବେ ଶେଷ ମୂହୁର୍ତ୍ତରେ ମହିଳାଙ୍କୁ କାନ୍ଧ ଦେବା ପାଇଁ ପରିବାର ଲୋକେ ପଛ ଘୁଞ୍ଚା ଦେଇଥିଲେ । କାନ୍ଧ ଦେବା ପାଇଁ ମହିଳାଙ୍କ ପୁଅ ଓ ତାର ସାଙ୍ଗମାନେ ମିଶି ମୋଟ ୩ ଜଣ ହୋଇଥିଲେ । ଆଉ ଜଣେ ଅଭାବ ଥିଲା । ତେଣୁ କଫନ୍‌ ନେଇ ଆସିଥିବା ବ୍ୟକ୍ତିକୁ କାନ୍ଧ ଦେବା ପାଇଁ ନିବେଦନ କରାଯାଇଥିଲା । ହେଲେ ଶେଷରେ ସେ କାନ୍ଧ ଦେବା ପାଇଁ ଟଙ୍କା ମାଗିଥିଲା । ଆଉ ତାକୁ ଟଙ୍କା ଦେଇ କାନ୍ଧ ଦେବାକୁ ଡକାଯାଇଥିଲା ।

Leave a Reply