spot_img

Latest Posts

ସାବିତ୍ରୀ ବ୍ରତରେ ମନ୍ଦିର ମନା… ଘରେ ରହି ସାବିତ୍ରୀ ପୂଜା କରିବାକୁ ନିର୍ଦ୍ଦେଶ… ପୂଜାପାଠ ପାଇଁ କଣ୍ଟା ସାଜିଛି ଭୂତାଣୁ

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ସାବିତ୍ରୀ… । ସ୍ୱାମୀଙ୍କ ଦିର୍ଘାୟୁ ପାଇଁ ବ୍ରତ ପାଳନ କରିଥାନ୍ତି ସବୁ ସଧବା । ମନ୍ଦିର ଯାଇ ସାଢ଼ି ସଙ୍ଖା ସିନ୍ଦୂରକୁ ପୂଜା କରିଥାନ୍ତି । ମନ୍ଦିରରୁ ସ୍ତ୍ରୀ ଘରକୁ ଆସି ସ୍ୱାମୀଙ୍କ ପାଦ ସ୍ପର୍ଶ ପାଣି ପିଇ ଆଶୀର୍ବାଦ ନେଲା ପରେ ନିଜର ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ଏବେ ସାବିତ୍ରୀ ପୂଜାରେ ବାଧା ଆଣିଛି କରୋନା । କରୋନା ପାଇଁ ଏବେ ସବୁ ମନ୍ଦିର ବନ୍ଦ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ମନ୍ଦରରେ କଟକଣା କରାଯାଇଛି । ସ୍ତ୍ରୀ ମାନେ ମନ୍ଦରରେ ସାବିତ୍ରୀ ପୂଜା ନକରି ଘରେ କରିବାକୁ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯାଇଛି ।

ସାବିତ୍ରୀ ଅମାବାସ୍ୟାକୁ ଆଖିରେ ରଖି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର ପରିସରରେ ୧୪୪ ଧାରା ରୁଜୁ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି । ମୟୂରଭଂଜରେ ଘରେ ସାବିତ୍ରୀ ପାଳିବାକୁ ପରାମର୍ଶ ଦେଇଛି ପ୍ରଶାସନ । ବାହାରେ ଯାଇ ଭିଡ଼ ନବଢ଼ାଇବାକୁ ପ୍ରଶାସନ ପରାମର୍ଶ ଦେଇଛି। ମହାମାରୀ କରୋନା ପାଇଁ କରାଯାଇଥିବା ଲକ୍‌ଡାଉନ୍‌ କଟକଣା ଯୋଗୁଁ ଧର୍ମାନୁଷ୍ଠାନରେ ଭିଡ ନଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି । ମେ ୩୧ ତାରିଖ ଯାଏ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ହୋଇଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଯାଇଛି । ମନ୍ଦିର ଖୋଲିବ ତେବେ ଭକ୍ତଙ୍କ ପୂଜାର୍ଚ୍ଚନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଆଜି ସାବିତ୍ରୀ ବ୍ରତ । ଏବଂ ବହୁ ସଂଖ୍ୟାରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛି । ପରମ୍ପରା ବଜାୟ ରଖିବା ସହ ସମାଜକୁ ସୁରକ୍ଷିତ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି ପୋଲିସ ପ୍ରଶାସନ ବିଜ୍ଞପ୍ତି ଜାରି କରିଛି ।

ଅନ୍ୟପଟେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ମହିଳାଙ୍କ ପାଇଁ ସାବିତ୍ରୀ ସଜ ପଠାଇଲେ ସରପଞ୍ଚ । ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚୁଙ୍ଗୁଡ଼ିଘାଇ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ମହିଳାଙ୍କ ପାଇଁ ନୂଆ ଶାଢୀ ଓ ପୂଜା ସାମଗ୍ରୀ ପଠାଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ବାହାର ରାଜ୍ୟରୁ ଆସୁଥିବା ମହିଳାମାନେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହୁଛନ୍ତି। ତେଣୁ ସେମାନେ ସାବିତ୍ରୀ ବ୍ରତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଦେଇଛନ୍ତି ସରପଞ୍ଚ । ଚୁଙ୍ଗୁଡ଼ିଘାଇ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

Latest Posts

Don't Miss