ଜାଣନ୍ତୁ ରାଜ୍ୟର କେଉଁ ୨ ଜିଲ୍ଲାରେ ଚିହ୍ନଟ ହୋଇନାହାଁନ୍ତି କରୋନା ସଂକ୍ରମିତ

1 min read

ଭୁବନେଶ୍ୱର: କାୟା ମେଲାଉଛି କରୋନା । ମାର୍ଚ୍ଚ ୧୬ରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଭୁବନେଶ୍ୱରରେ ଚିହ୍ନଟ ହୋଇଥିଲେ । ୨ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩ଶହ ଟପିଛି । ମେ ୨୪ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରୁ କରୋନା ୨୮ ଜିଲ୍ଲା ଛୁଇଁଛି । ସଂକ୍ରମିତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ରାଜ୍ୟରେ ସର୍ବାଧିକ ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ରହିଥିବା ବେଳେ ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲା ହେଉଛି ଯାଜପୁର ।

ଗଞ୍ଜାମରେ ୩୪୮ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ଚିହ୍ନଟ ହୋଇଛି ୨୩୯ଟି ସଂକ୍ରମଣ ମାମଲା । ବର୍ତ୍ତମାନ ଯାଏଁ ରାଜ୍ୟର ୨ଟି ଜିଲ୍ଲାରେ ଗୋଟିଏ ବି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇନାହିଁ । ଗୋଟିଏ ଜିଲ୍ଲା ପଶ୍ଚିମ ଓଡ଼ିଶାର ଥିବାବେଳେ ଅନ୍ୟଟି ଦକ୍ଷିଣ ଓଡ଼ିଶାର । ୨ ଜିଲ୍ଲାକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାୟଗଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏଯାଏଁ କରୋନାର ମାମଲା ଆସିନାହିଁ । ତେବେ, ଜିଲ୍ଲାକୁ ସଂକ୍ରମିତ ରାଜ୍ୟରୁ ପ୍ରବାସୀ ଫେରୁଥିବାରୁ ସଂକ୍ରମଣ ସମ୍ଭାବନା ରହିଛି । ବିଶେଷକରି ଜିଲ୍ଲା ପ୍ରଶାସନର ସତର୍କତାମୂଳକ ପ୍ରଭାବୀ କାର୍ଯ୍ୟ ଯୋଗୁଁ ସଂକ୍ରମଣ ହୋଇନାହିଁ । ଅନ୍ୟପଟେ କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଥିବା ଜଣେ ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଜିଲ୍ଲାରେ କେହି ସଂକ୍ରମିତ ନାହାଁନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୩୩୬ ଛୁଇଁଥିବା ବେଳେ ୪୯୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୩୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

https://nandighoshatv.com/odisha-crossed-1300-positive-cases/

Leave a Reply