ଜୀବନର ମୋଡ଼ ବଦଳାଇ ଦେଇଛି କରୋନା, ଉଚ୍ଚଶିକ୍ଷିତ ପତିପତ୍ନୀ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି

ଭଦ୍ରକ: କରୋନା ବଦଳାଇଦେଇଛି ଜୀବିକା। ଢାବା କରି ଆତ୍ମନିର୍ଭର ହେବାର ନୂଆ ରାସ୍ତା ଆପଣାଇଛନ୍ତି ଉଚ୍ଚଶିକ୍ଷିତ ପତିପତ୍ନୀ। ଭଦ୍ରକ ନଳାଙ୍ଗ ନିକଟରେ ଢାବା କରି ରୋଜଗାରର ରାସ୍ତା ବାଛିଛନ୍ତି ସିଭିଲ ଇଞ୍ଜିନିୟର ଲିପିକା ଦାସ ଏବଂ ତାଙ୍କ ସ୍ୱାମୀ। ସେପଟେ ଯାତ୍ରାରେ କଟକଣା କାରଣରୁ ଦୁର୍ଦ୍ଦିନରେ ଅଭିନେତା ଦାମ ପଣ୍ଡା। ପରିବାର ଚଳାଇବା ପାଇଁ ଏବେ ଛୋଟ ଦୋକାନ ଉପରେ ଭରସା କରିଛନ୍ତି।
ଏ ହେଉଛନ୍ତି ଲିପିକା ଦାସ। ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂ। ହେଲେ କରୋନା ବଦଳାଇଦେଇଛି ଜୀବିକାର ମାଧ୍ୟମ। ଆଉ ଉଚ୍ଚଶିକ୍ଷିତ ମହିଳାଙ୍କ କାନ୍ଧରେ ଏବେ ଢାବାର ଦାୟିତ୍ୱ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ନିକଟରେ ଲିପିକା ଏବଂ ତାଙ୍କ ସ୍ୱାମୀ ଆରମ୍ଭ କରିଛନ୍ତି ଏହି ବ୍ୟବସାୟ। ନିଜେ ପରିବା କାଟିବା ସହିତ ରୋଷେଇ କରିବା, ଲୋକଙ୍କୁ ପାର୍ସଲ ଦେବା କାର୍ଯ୍ୟ କରୁଛନ୍ତି ପତିପତ୍ନି। ଲିପିକାଙ୍କ ସ୍ୱାମୀ ବାଙ୍ଗାଲୋରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କରୋନା କାରଣରୁ ଗାଁକୁ ଆସି ଏହି ନୂଆ ବ୍ୟବସାୟକୁ ଆପଣାଇଛନ୍ତି। ଶିକ୍ଷିତ ଦମ୍ପତ୍ତିଙ୍କ ଏଭଳି ଆତ୍ମନିର୍ଭର ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।
ଦାମ ପଣ୍ଡା । ଯାତ୍ରା ଦୁନିଆର ଜଣାଶୁଣା ନାଁ। ପେଣ୍ଡାଲ ଉପରେ ମନୋରଞ୍ଜନ ଭରିଦେଦେଉଥିବା ଏହି କଳାକାରଙ୍କର ଜୀବନର ମୋଡ ବଦଳାଇଦେଇଛି ଭୂତାଣୁ। କରୋନା ଯାତ୍ରା କଳାକାରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଦାମ ପଣ୍ଡା ଆପଣାଇଛନ୍ତି ନୂଆ ରାସ୍ତା। ବାଲେଶ୍ଵର ଜିଲ୍ଲା କଣ୍ଟାବଣିଆ ଗାଁରେ ଛୋଟ ଦୋକାନଟିଏ କରି ଚଳିବା ପାଇଁ ସେ ସଂଘର୍ଷ କରୁଛନ୍ତି। କଟକଣା କାରଣରୁ ଯାତ୍ରା ବନ୍ଦ ଥିବାରୁ ରୋଜଗାର ପାଇଁ ଏହି ଦୋକାନ ଉପରେ ଆଶାପ୍ରକାଶ କରିଛନ୍ତି ଦାମ। ଏଭଳି ଦୁର୍ଦ୍ଦିନରେ କଳାକାରଙ୍କୁ ସହାୟତା ଯୋଗାଇଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଭୂତାଣୁର ଆତଙ୍କରେ ସାରା ମାନବଜାତି ହନ୍ତସନ୍ତ ହେଉଛି। ଉଭୟ ଜୀବନ ଆଉ ଜୀବିକାକୁ ବେଶ୍ ପ୍ରଭାବିତ କରିଛି କରୋନା। ଜୀବନ ଚାଲିଯାଉଥିବାବେଳେ ଜୀବିକା ମୋଡ ବଦଳିଯାଉଛି।