ଅନାଥ କରିଦେଲା କରୋନା; ଭିକ୍ଷା ମାଗି ଚଳୁଥିଲେ, ଶ୍ମଶାନରେ ରହୁଥିଲେ ୫ ଭାଇଭଉଣୀ
1 min read
ଭୋପାଳ: ମହାମାରୀ କରୋନା ପାଞ୍ଚ ପାଞ୍ଚ ଜଣ ଭାଇଭଉଣୀଙ୍କ ମୁଣ୍ଡ ଉପରୁ ହଟାଇ ନେଇଛି ବାପାମାଆଙ୍କ ହାତ । ଅନାଥ କରି ଦେଇଛି ତିନି ଭଉଣୀ ଓ ଦୁଇ ଭାଇଙ୍କୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡରେ । ଫେବ୍ରୁଆରୀ ମାସରେ କରୋନାରେ ବାପା ଆଖି ବୁଜିଥିଲେ । ଆଉ ବାପାଙ୍କ ମୃତ୍ୟୁର ୪ ମାସ ପରେ ମାଆକୁ ନେଇଗଲା ମହାମାରୀ । ଫଳରେ ଏବେ ୫ ଛୁଆ ଅନାଥ ହୋଇ ଯାଇଛନ୍ତି ।
ବାପାମାଆଙ୍କ ମୃତ୍ୟୁ ପରେ ୫ ଭାଇଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ୧୦ ବର୍ଷର ନିଶା ସମସ୍ତଙ୍କୁ ସମ୍ଭାଳୁ ଥିଲା । ମାଆଙ୍କ ମୃତ୍ୟୁ ପରେ ଗାଁରେ ରହୁଥିବା ଦାଦା ପିଲାଙ୍କ ମୁହଁ ଚାହିଁନଥିଲେ । ଫଳରେ ନିଶା ସବୁଠୁ ଛୋଟ ୭ ମାସର ଭାଇ ସହ ଅନ୍ୟ ଭାଇଭଉଣୀଙ୍କୁ ଧରି ଶ୍ମଶାନ ନିକଟର ଏକ କୁଡ଼ିଆକୁ ପଳାଇ ଆସିଥିଲେ । ବର୍ଷା ହେଲ ଶ୍ମଶାନରେ ଥିବା ଟିଣ ତଳେ ଆଶ୍ରୟ ନେଉଥିଲେ । ଗାଁ ଲୋକ ଯାହା ଦେଉଥିଲେ ତାକୁ ଖାଉଥିଲେ ।
ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଜିଲ୍ଲାପାଳ ସହାୟତାର ହାତ ବଢ଼ାଇଛନ୍ତି । ୫ ଭାଇଭଉଣୀଙ୍କୁ ସ୍ଥାନୀୟ ଶିଶୁ ଗୃହରେ ରଖିଛି । ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ବାଲ୍ ସେବା ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛି ପ୍ରଶାସନ । ସେମାନଙ୍କୁ ଘର ସହ ପାଠପଢ଼ା ଖର୍ଚ୍ଚ ପ୍ରଶାସନ ବ୍ୟବସ୍ଥା କରିବାକୁ ନିଶା କହିଛନ୍ତି ।