କରୋନା କାୟାରେ ଉତ୍ତର କୋରିଆ: ୫୬ ମୃତ, ୨ ଲକ୍ଷରୁ ଅଧିକ ବେମାର

ନୂଆଦିଲ୍ଲୀ: ଉତ୍ତର କୋରିଆରେ କାୟା ମେଲାଉଛି ମହାମାରୀ କରୋନା । ଦ୍ରୁତଗତିରେ ମାଡି ଚାଲିଥିବା କରୋନା ଭୂତାଣୁ ବର୍ତ୍ତାମାନ ସୁଦ୍ଧା ୨ ଲକ୍ଷ ୬୯ ହଜାର ୫୧୦ ଜଣଙ୍କୁ ଆକ୍ରାନ୍ତ କରିସାରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଏଠିକାର ଲୋକ ବହୁଳ ଭାବେ ଟିକା ନେଇ ନଥିବାରୁ ସଂକ୍ରମଣ ଆହୁରି ବଢିବାର ଆଶଙ୍କା ପ୍ରକାଶ ପାଇଛି ।

ଦୁଇ ମାସରେ ୧୪ ଲକ୍ଷରୁ ଅଧିକ ବେମାର

ଦେଶରେ ୫୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ତେବେ ଶାସକ କିମ୍ ଜଙ୍ଗ୍ ଉନଙ୍କ ଶାସନ ପ୍ରତି ଯେମିତି ବିପଦ ନଆସେ, ସେଥିପାଇଁ ଉତ୍ତର କୋରିଆ ମୃତ୍ୟୁସଂଖ୍ୟା କମ ଦେଖାଉଥିବା ଅଭିଯୋଗ ହେଉଛି । ଏପ୍ରିଲରୁ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୮୦ ହଜାର ଲୋକ ବେମାର ପଡିଛନ୍ତି । କରୋନା କାରଣରୁ ଏତେ ପରିମାଣର ଲୋକ ବେମାର ପଡୁଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସବୁଠାରୁ ବଡ ଚିନ୍ତା ହେଲା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଦୃର୍ବଳ ଓ ଅଧିକାଂଶ ଲୋକ ଗରିବ ହୋଇଥିବାରୁ ଏଠାରେ କରୋନା ଟେଷ୍ଟ, ଟିକାକରଣ ଓ ଏହାର ଚିକିତ୍ସା ସୁବିଧା ବର୍ତ୍ତାମାନ ପର୍ଯ୍ୟନ୍ତ ଯେମିତି ହେବା କଥା ହୋଇପାରିନି ।

୬ ଲକ୍ଷରୁ ଅଧିକ ହଜାର ଲୋକ କ୍ବାରେଣ୍ଟିନରେ

ରିପୋର୍ଟ ଅନୁସାରେ ଉତ୍ତର କୋରିଆରେ ୬ ଲକ୍ଷ ୬୩ ହଜାର ୯୧୦ ଜଣ କ୍ବାରେଣ୍ଟିନରେ ରହିଛନ୍ତି । ତେବେ ଜ୍ବରରେ ପୀଡିତ କେତେ ଲୋକଙ୍କୁ କରୋନା ହୋଇଛି ତାହା ସ୍ପଷ୍ଟ ହୋଇନି । ଲୋକଙ୍କ ପାଖରେ ଟେଷ୍ଟିଂ ସୁବିଧା ପହଞ୍ଚି ପାରୁନଥିବାରୁ କରୋନାର ପ୍ରକୃତ ତଥ୍ୟ ମିଳିପାରୁନାହିଁ । ସେଲ୍ଟର ହୋମରେ ରହୁଥିବା ଲୋକଙ୍କ ବ୍ୟତୀତ ଆଉ କାହାର ଚିକିତ୍ସା କରାଯାଇପାରୁନାହିଁ ।

୨ କୋଟି ୬୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଠ ଉତ୍ତର କୋରିଆର ଅଧିକାଂଶ ଲୋକ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ଅପପୁଷ୍ଟି ଓ ଗରିବୀ ଭଳି ସ୍ଥିତିର ସାମ୍ମାନ କରୁଛି ଏହି ଦେଶ । ଦେଶରେ ଆବଶ୍ୟକ ଆଇସିୟୁ, ଆଣ୍ଟିଭାଇରାଲ ଡ୍ରଗ୍ସ ଭଳି ସ୍ବାସ୍ଥ୍ୟ ଉପକରଣର ଘୋର ଅଭାବ ରହିଛି । ଏମିତି ସ୍ଥିତିରେ ଶୀଘ୍ର କରୋନା ସଂକ୍ରମଣରେ ବ୍ରେକ୍ ନଲାଗିଲେ ଏହା ଦେଶର ସୀମା ଡେଇଁ ପୁଣି ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢାଇବାର ଆଶଙ୍କା ପ୍ରକାଶ ପାଇଛି ।