ଚିନ୍ତା ବଢ଼ାଇଲା କରୋନାର ବୃଦ୍ଧି ମାମଲା, ୮ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର

1 min read

ନୂଆଦିଲ୍ଲୀ: ଭାରତରେ ପୁଣି ଗୋଟେଥର କୋଭିଡ-୧୯ର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଜା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୧୧,୬୯୨ ନୂଆ ମମଲା ସାମ୍ନାକୁ ଆସିଛି । ଏବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ହୋଇଯାଇଛି । କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଲର୍ଟରେ ରହିଛନ୍ତି । କୋଭିଡର ବୃଦ୍ଧି ମାମଲା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି ।

ସେ ସର୍ଭିଲାନ୍ସ ବଢ଼ାଇବା, ଆଇଏଲଆଇ ଏବଂ ଏସଏଆରଆଇର ରୋଗୀଙ୍କ ଉପରେ ନଜର ରଖିବା, ପର୍ଯ୍ୟାପ୍ତ ସଂଖ୍ୟାରେ ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିବା ସାମ୍ପଲିଂର ଯାଞ୍ଚ ଏବଂ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ୮ ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଏବଂ ଦିଲ୍ଲୀ ସାମିଲ ରହିଛି । ଏହି ଆଠଟି ରାଜ୍ୟରେ ଦିନ ପ୍ରତିଦିନ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେଣୁ ବୃଦ୍ଧି ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତାଜା ତଥ୍ୟ ମୁତାବକ, ଭାରତରେ ସଂକ୍ରମଣର ଦୈନିକ ହାର ୫.୪୬ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ଏବେ ୬୬୧୭୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଭାରତରେ ରୋଗୀଙ୍କ ସୁସ୍ଥ ହେବାର ରାଷ୍ଟ୍ରୀୟ ହାର ୯୮.୬୭ ପ୍ରତିଶତ ରହିଛି । ଦେଶରେ ବର୍ତ୍ତମାନ ମୋଟ ୪,୪୮,୬୯,୬୮ ଜଣ ସଂକ୍ରମଣ ମୁକ୍ତ ହୋଇ ସାରିଛନ୍ତି ।