ଦେଶରେ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି: ମେ’ ବେଳକୁ ୧.୪ କୋଟି ଟପିପାରେ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟଗୁଡ଼ିକରେ କରୋନା ସମ୍ପ୍ରକିତ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଗତକାଲି ମହାରାଷ୍ଟ୍ରରେ ୪୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରୁ ୫ ହଜାର ୮ଶହ ଏବଂ ଦିଲ୍ଲୀରୁ ୩ ହଜାର ୫ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ କରୋନାର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ ଛୁଇଁଛି । କରୋନା ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି ତାକୁ ନଜରରେ ରଖି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଅନୁମାନ କରିଛି ଯେ, ମଇ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ୧.୪ କୋଟିରେ ପହଞ୍ଚିବ ।

କରୋନା ଗବେଷକଙ୍କ କହିବାନୁଯାୟୀ ଏପ୍ରିଲ ମଧ୍ୟ ବେଳକୁ କରୋନା ନିଜର ପିକ୍ ଛୁଇଁ ସାରିଥିବ । ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭.୩ ଲକ୍ଷରେ ପହଞ୍ଚିସାରିଥିବ । ଏବଂ ମଇ ଶେଷ ଆଡ଼କୁ ଏହି ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିସାରିଥିବ ।

ଗବେଷକଙ୍କ ମୁତାବକ ଯଦି ଏବେ ଠାରୁ ଲୋକେ କରୋନା ନିୟମ ପାଳନ କରିବେ ଏବଂ ମାସ୍କ ଲଗାଇବେ, ସାମାଜିକ ଦୂରତା ରକ୍ଷା କରିବେ ଏବଂ ଅଧିକରୁ ଅଧିକ ସଂଖ୍ୟାରେ ଭ୍ୟାକ୍ସିନ୍ ଲଗାଇବେ ତେବେ ଯାଇଁ ଦ୍ରୁତଗତି ବଢ଼ୁଥବା ସଂକ୍ରମିତଙ୍କ ସଂଖ୍ୟା ଉପରେ ଅଙ୍କୁଶ ଲାଗିପାରିବ । ଦେଶରେ ବର୍ତ୍ତମାନ ଦୈନିକ ୯୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏଥିରୁ ବର୍ତ୍ତମାନ ଦେଶର କରୋନାର ସ୍ଥିତି କେତେ ଗମ୍ଭୀର ତାହା ସ୍ପଷ୍ଟ କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଶନିବାର ସାରା ଦେଶରେ ୯୨ ହଜାର ୯୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କରୋନା ସଂକ୍ରମିତ

Leave a Reply