ଆସିଲା ରିପୋର୍ଟ, କରୋନା ଏବଂ ମୁଦ୍ରାସ୍ଫୀତି ଲୋକଙ୍କ ଗରିବୀର ମୁଖ୍ୟ କାରଣ

1 min read

ନନ୍ଦିଘୋଷ ବ୍ୟୁରୋ: ମହାମାରୀ କରୋନା ଓ ମୁଦ୍ରାସ୍ଫୀତି ଏସିଆର କୋଟି କୋଟି ଲୋକଙ୍କୁ ଦୁର୍ବିସହ ମଧ୍ୟକୁ ଠେଲିଦେଇଛି । ଗତବର୍ଷ ସୁଦ୍ଧା ଏସିଆର ୬ କୋଟି ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯାଇଛନ୍ତି । କରିଛି ଏସିଆନ ଡେଭଲେପମେଣ୍ଟ ବ୍ୟାଙ୍କ ବା ଏଡିବି ଏନେଇ ରିପୋର୍ଟ ପ୍ରଦାନ କରିଛି । ଏଡିବିର ନୂଆ ରିପୋର୍ଟ ଅନୁସାରେ ଏସିଆର ୧୫୫.୨ ନିୟୁତ ଲୋକ ଅର୍ଥାତ ଏସିଆର ମୋଟ ଜନସଂଖ୍ୟାର ୩.୯ ପ୍ରତିଶତ ସମ୍ପର୍ଣ୍ଣ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ୬୭.୮ ନିୟୁତ ଲୋକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବା ସହ ସେମାନଙ୍କ ଜୀବନ ଦୁର୍ବିସହ ହୋଇଛି । ଏସୀୟ-ପ୍ରଶାନ୍ତ ଅଞ୍ଚଳର ୪୬ଟି ରାଷ୍ଟ୍ରକୁ ନେଇ ଏଡିବିର ଏହି ରିପୋର୍ଟ ଚିନ୍ତା ସୃଷ୍ଟି କରିଛି । ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବର୍ତ୍ତମାନ ପୂର୍ବସ୍ଥିତିକୁ ଫେରିଆସିବାରେ ଲାଗିଛି । କିନ୍ତୁ ଜୀବନ ଧାରଣଜନିତ ଖର୍ଚ୍ଚ ବୃଦ୍ଧି ଯୋଗୁ ବିକାଶ ବାଧାପ୍ରାପ୍ତ ହୋଇଛି । ଏହା ସହ ଦାରିଦ୍ର୍ୟ ଦୂରୀକରଣ ଦିଗରେ ଅଭିଯାନ ବାଧାପ୍ରାପ୍ତ ହୋଇଛି ବୋଲି କହିଛନ୍ତି ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ଆଲବର୍ଟ ପାର୍କ । ଯେଉଁମାନେ ଦୈନିକ ୨ ଦଶମିକ ୧୫ ଡଲାରରୁ କମ୍ ଖର୍ଚ୍ଚରେ ଜୀବନ ଧାରଣ କରିଥାନ୍ତି ସେମାନଙ୍କୁ ଅତ୍ୟଧିକ ଦରିଦ୍ର ବୋଲି କୁହାଯାଇଥାଏ । ଯୋଗାଣ ଶୃଙ୍ଖଳରେ ବାଧା ଏବଂ ଅର୍ଥନୈତିକ କାର୍ଯ୍ୟକଳାପରେ ସଂକଟ ଅଧିକାଂଶ ଦେଶରେ ମୁଦ୍ରାସ୍ଫୀତି ଗତବର୍ଷ ଆକାଶ ଛୁଆଁ ହୋଇଥିଲା । ସମସ୍ତଙ୍କୁ ଦରବୃଦ୍ଧି ଘାଣ୍ଟିଥିଲା ମାତ୍ର ଗରିବମାନେ ସବୁଠାରୁ ଅଧିକ ଶିକାର ହୋଇଥିଲେ । ସେମାନେ ଖାଦ୍ୟ ଓ ଇନ୍ଧନ ଲାଗି ଅଧିକ ବ୍ୟୟ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଏଥିଲାଗି ସେମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଲାଗି ବିଶେଷ କିଛି ଖର୍ଚ୍ଚ କରିପାରି ନଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ସ୍ଥିତି ଏପରି ହୋଇଛି ଯେ ୨୦୩୦ ସୁଦ୍ଧା ଏହି ଅଞ୍ଚଳର ପ୍ରାୟ ୧୨୬ କୋଟି ଲୋକ ଅର୍ଥନୈତିକ ଭାବେ ଦୁର୍ବଳ ରହିବେ ।