୪୯ ଥର ଫୋନ୍ ପରେ ଥରୁଟିଏ କଲ୍ ରିସିଭ୍ କରିଥିଲେ କରୋନା ସଂକ୍ରମିତ

ଭୁବନେଶ୍ୱର: ଡର ନୁହେଁ ବରଂ ସାମାଜିକ ଦୂରତା ହିଁ ଆମକୁ କରୋନାରୁ ରକ୍ଷା କରିବ । ଡରିଲେ ବା ଭୟ କଲେ କିଛି ମିଳିବନି, ଜୀବନ ବିପଦକୁ ଠେଲି ହୋଇଯିବ । ରାଜ୍ୟରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ଅତ୍ୟଧିକ ଡରି ଯାଇଥିଲେ । ସରକାରଙ୍କ ତରଫରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ୪୯ ଥର କଲ୍ କରାଯାଇଥିବା ବେଳେ ସେ ମାତ୍ର ଗୋଟିଏ ଥର ଫୋନ୍ ରିସିଭ୍ କରିଥିବା ବାଗଚୀ ସୂଚନା ଦେଇଛନ୍ତି ।

ଡର ଓ ଭୟକୁ ଜିତିବାର କ୍ଷମତା ଆମ ପାଖରେ ଅଛି । ତେଣୁ, ଭୟକୁ ପରିତ୍ୟାଗ କରନ୍ତୁ । ଭୟକୁ ଯେତେ ଡରିବେ ସେ ସେତିକି ଆମକୁ ଡରାଇବ । ନିଜକୁ ସନ୍ଦିଗ୍ଧ ମନେ କଲେ ଆଗେଇ ଆସି ପରିବାରକୁ ଜଣାନ୍ତୁ । କରୋନା ଲକ୍ଷଣ ପ୍ରକାଶ ପାଇଲେ ନିର୍ଭୀକ ଭାବେ ଆମକୁ ଜଣାନ୍ତୁ । ଜମାରୁ ଡରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

ରାଜ୍ୟରେ ଏବେ ଯାଏଁ ୯୦୦ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୫ଟି ପଜିଟିଭ୍ ଆସିଛି । ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ୫୫, ତୃତୀୟଙ୍କ ସମ୍ପର୍କରେ ୧୧୨, ଚତୁର୍ଥଙ୍କ ସମ୍ପର୍କରେ ୩୩ ଓ ପଞ୍ଚମ ବ୍ୟକ୍ତିଙ୍କ ସମ୍ପର୍କରେ ୨୧ ଜଣ ଆସିଛନ୍ତି । ପଞ୍ଚମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆଉ କିଏ ସବୁ ଆସିଛନ୍ତି ତାର ଯାଞ୍ଚ ଚାଲିଛି । ବିଭିନ୍ନ ଚିକିତ୍ସାଳୟରେ ସଂଘରୋଧରେ ୮୫ ଜଣ ସନ୍ଦିଗ୍ଧ ରହିଛନ୍ତି ।

ଆଜି ଅପରାହ୍ଣ ୩ଟା ସୁଦ୍ଧା ବିଶ୍ୱର ୨୦୩ ଦେଶରେ ୯ ଲକ୍ଷ ୩୭ ହଜାର ୯୭୬ ଜଣ ଆକ୍ରାନ୍ତ ହୋଇଛନ୍ତି । ୪୭ ହଜାର ୨୭୯ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ୧୯୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୦ ଜଣଙ୍କ ମୃତ୍ୟୁ ହୋଇଛି । କରୋନାର ଲକ୍ଷଣ ହେଲା ଜ୍ୱର, କାଶ ଓ ନିଶ୍ୱାସ ନେବାରେ କଷ୍ଟ ଲାଗିବା । ଏହି ଲକ୍ଷଣ ସବୁ ୨ରୁ ୧୪ ଦିନ ମଧ୍ୟରେ ପ୍ରକାଶ ପାଇବ । ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତ ଆକ୍ରାନ୍ତଙ୍କ ପରିସ୍ଥିତି ଗମ୍ଭୀର । ୯୫ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ସାଧାରଣ ଲକ୍ଷଣ ଥାଏ ।

Leave a Reply