spot_img

Latest Posts

କଣ୍ଟ୍ରୋଲ ହେଉନି କଲେରା, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ସରକାର କହୁଛନ୍ତି ରାଜ୍ୟରେ ନିୟନ୍ତ୍ରଣରେ ରହିଛି ହଇଜା ସ୍ଥିତି। କିନ୍ତୁ ବାସ୍ତବରେ ଚିତ୍ର ପୂରା ଓଲଟା। କମିବା ବଦଳରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାଜପୁର, ଭଦ୍ରକ ସହ ଅନ୍ୟ ଜିଲ୍ଲାରେ ବି ବ୍ୟାପୁଛି ଡାଇରିଆ। ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଡାକ୍ତରୀ ଟିମ୍। କେମିତି କରାଯିବ ରୋଗର ନିରାକରଣ, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ। ଏପଟେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ କହୁଛନ୍ତି, ୩୦ ଜିଲ୍ଲାରେ ୯୮ ପ୍ରତିଶତ ଦୂଷିତ ଜଳକୁ କରାଗଲାଣି ବିଶୋଧନ।

ଜିଲ୍ଲାକୁ ଜିଲ୍ଲା ଡେଇଁ ଚାଲିଛି ହଇଜା। ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ରୋଗୀ। କିନ୍ତୁ ସରକାରଙ୍କ ଉତ୍ତର ସବୁ କିଛି ନିୟନ୍ତ୍ରଣରେ ଅଛି। ଯାଜପୁରରେ ଥମୁନି ମାମଲା। କେମିତି କରାଯିବ କଣ୍ଟ୍ରୋଲ, ବୁଦ୍ଧି ବାଟ ପାଉନି ସ୍ବାସ୍ଥ୍ୟ ବିଭାଗ। ଏହାରି ଭିତରେ ଆଉ ୪ ରୋଗୀ ଚିହ୍ନଟ ପରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା। ଯେଉଁଥିରୁ ୩୧ଟି ପଜିଟିଭ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏବେ ବି ୧୫୪ ଜଣ ସଂକ୍ରମିତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଭଦ୍ରକର ଧାମନଗର ଓ ଆରଡିରେ ବ୍ଯାପିବାରେ ଲାଗିଛି ଝାଡ଼ାବାନ୍ତି। ୧୦ ଦିନ ମଧ୍ଯରେ ଧାମନଗରରେ ୭୦ ଓ ଆରଡିରେ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ଆରଡି ପୀଠରେ ଅସ୍ବାସ୍ଥ୍ଯକର ପରିବେଶ ଓ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ପାଣି ଦୂଷିତ ହେବାରୁ ବ୍ୟାପୁଛି ଝାଡାବାନ୍ତି। ଏପଟେ ବାଙ୍କୀ ଘୋଳପୁରରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଦୂଷିତ ପାଣି ପିଇ ୫୦ ଲୋକ ଆକ୍ରାନ୍ତ ପରେ ଏବେ ସ୍ଥିତିରେ ସୁଧାର ଆସୁଛି।

ଏସବୁ ଅଞ୍ଚଳ କଥା ଛାଡ଼ନ୍ତୁ, ମାହାଙ୍ଗା ଅଞ୍ଚଳରେ ବି ଥମିବାର ନାଁ ନେଉନି ଝାଡ଼ାବାନ୍ତି। ଏବେ ବି ୨୦ରୁ ଅଧିକ ରୋଗୀଙ୍କର ଚିକିତ୍ସା ଚାଲିଛି। ବରୀରେ ଡାଇରିଆ ପରେ କାୟା ବିସ୍ତାର କରି ଚାଲିଛି ଜଣ୍ଡିସ। ପ୍ରକୋପ କମି ନ ଥିବା ବେଳେ, ବୋଦୁଅ ପଞ୍ଚାୟତରେ ଜଣେ ନାବାଳିକାଙ୍କର ଜୀବନ ଯାଇଛି। ସେହି ପରିବାରର ୨ ଶିଶୁ ମଧ୍ୟ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜଣ୍ଡିସ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରିଛି। ସେପଟେ ବରଗଡ଼ ଜିଲ୍ଲାରେ ୨୩ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅମ୍ବାଭୋନା ବ୍ଲକ ଭାଲୁଟାଲରେ ପୂର୍ବରୁ ୨୨ ଜଣ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ଜଣେ ସଂକ୍ରମିତ ହେବା ପରେ ଗାଁରେ ଡାକ୍ତରୀ ଟିମ୍ ପକ୍ଷରୁ ଜାରି ରହିଛି ଚିକିତ୍ସା। ପାଣି ନମୁନା ଓ ମଳର ନମୁନା ପରୀକ୍ଷା କରାଯାଇଥିବା ବେଳେ, ଟ୍ୟୁବ୍ ଓ୍ବେଲ ପାଣିରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଡାଇରିଆ ସ୍ଥିତିକୁ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ କହିବା କଥା, ୩୦ ଜିଲ୍ଲାର ୯୮ ପ୍ରତିଶତ ପାନୀୟ ଜଳ ବିଶୋଧନ ସରିଲାଣି। ହଇଜା ସ୍ଥିତିକୁ ଦେଖି ବିଭାଗ ତତ୍ପରତାର ସହ କାମ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।  ଡାଇରିଆ ଓ ଝାଡ଼ାବାନ୍ତିକୁ ନେଇ ସାରା ରାଜ୍ୟରେ ହଇଚଇ। କମିବା ବଦଳରେ ବଢ଼ି ଚାଲିଛି ରୋଗୀଙ୍କ ସଂଖ୍ୟା। ଆଗକୁ ଆସୁଛି ବର୍ଷା ଦିନ। ତେଣୁ ହଇଜାର ସ୍ଥିତି କଣ ହେବ ତାକୁ ନେଇ ଦେଖାଦେଇଛି ଆଶଙ୍କା।

Latest Posts

Don't Miss