ହିନ୍ଦୁ ଝିଅକୁ ଅପହରଣ ପରେ ବିବାହ କଲେ ପାକ୍ ପୋଲିସ

Cops Kidnapped Pakistani Hindu Girl And Married After Religion Convert

ଅମୃତସର: ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ଝିଅଙ୍କୁ ଅପହରଣ କରାଯାଉଥିବାର ଆଉ ଏକ ଉଦାହରର ସାମ୍ନାକୁ ଆସିଛି । ହିନ୍ଦୁ ମନ୍ଦିରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଥିବା ଜଣେ ପୋଲିସ କର୍ମୀ ସେହି ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ତାଙ୍କ ଧର୍ମ ପରିବର୍ତ୍ତନ କରିଛନ୍ତି । ତାଙ୍କୁ ବଳ ପୂର୍ବକ ବିବାହ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଅପହରଣର ୫ ଦିନ ପରେ ଯେତେବେଳେ ବିବାହ ପ୍ରମାଣ ପତ୍ର ସ୍ଥାନୀୟ କାର୍ଯ୍ୟାଳୟ ପକ୍ଷରୁ ଅପଲୋଡ୍ ହୋଇଥିଲା ସେତେବେଳେ ଏହି ଖବର ସାମ୍ନାକୁ ଆସିଥିଲା । ଏହାଦ୍ୱାରା ପୁଣିଥରେ ମୁସଲମାନ ସମ୍ପ୍ରଦାୟ ଏବଂ ଇମ୍ରାନ୍ ଖାନ୍ ସରକାରଙ୍କ ଉପରୁ ଆସ୍ଥା ତୁଟିଛି ବୋଲି ସେଠାକାର ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ କୁହାଯାଇଛି ।

ସିନ୍ଧ ପ୍ରଦେଶର ନୌସାରେ ଫିରୋଜ୍ ଜିଲ୍ଲାର ନାବାଳିକା ନୀନା କୁମାରୀଙ୍କୁ ପାଞ୍ଚଦିନ ପୂର୍ବେ ଅପହରଣ କରାଯାଇଥିଲା । ସେ ସ୍କୁଲରୁ ଫେରୁଥିବା ବେଳେ କେହି ତାଙ୍କୁ ଅପହରଣ କରି ନେଇଥିବା ନେଇ ତାଙ୍କ ବାପା ଏତଲା ଦେଇଥିଲେ ।  ସେଠାକାର ଗୁଇନ୍ଦା ତଦନ୍ତ ପରେ ଜଣାପଡ଼ିଥିଲା ଯେ, ତାଙ୍କୁ ସ୍ଥାନୀୟ ପୋଲିସ କର୍ମୀ ମାରୁଫ୍ କାଦ୍ରୀ ଅପହରଣ କରି ନେଇଥିଲେ । ଅପହରଣ ପରେ ତାଙ୍କୁ ସ୍ଥାନୀୟ ଏକ ଦରଘାରେ ଧର୍ମ ପରିବର୍ତ୍ତନ କରାଇ ଥିଲେ । ଏହାପରେ ତାଙ୍କ ନାଁ ନୀନାରୁ ମାରିଆ ରଖାଯାଇଥିଲା । ପରେ ୪୦୦ କିଲୋମିଟର ଦୂର କରାଚି ନେଇ ସେଠାରେ ତାଙ୍କୁ ବିବାହ କରି ନେଇଥିଲେ । ବିବାହ ପ୍ରମାଣପତ୍ରରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଜନ୍ମ ତାରିଖ ଲେଖା ଥିଲାବେଳେ ନୀନାଙ୍କ ବୟସ ୧୯ ବୋଲି ଲେଖାଯାଇଛି । ହେଲେ ପରିବାର ଲୋକେ ସେ ନାବାଳିକା ବୋଲି କହିଛନ୍ତି ।

ପାକିସ୍ତାନର ସିନ୍ଧ ପ୍ରଦେଶରେ ହିନ୍ଦୁ ଝିଅମାନଙ୍କୁ ଏହିପରି ବଳ ପୂର୍ବକ ଅପହରଣ ଓ ବିବାହ କିଛି ନୂଆ କଥା ନୁହେଁ । ଦିନକୁ ଦିନ ଏହା ବିରୋଧରେ ଜନଅସନ୍ତୋଷ ବଢ଼ୁଥିବାରୁ ନିକଟରେ ମୁସଲମାନ ମୌଲବୀ ଏବଂ ହିନ୍ଦୁ ସମ୍ପ୍ରଦାୟ ନେତାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଥିଲା । ଏହି ରାଜିନାମା ଅନୁସାରେ ଅଭିଭାବକଙ୍କ ବିନା ଅନୁମତିରେ ଧର୍ମ ପରିବର୍ତ୍ତନ ହେବ ନାହିଁ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ପୋଲିସ କର୍ମୀ ଏବେ ଏପରି ବଳ ପୂର୍ବକ ଅପହରଣ କରିବା ଏବଂ ତାଙ୍କୁ ଧର୍ମ ପରିବର୍ତ୍ତନ କରି ବିବାହ କରିବା ଦ୍ୱାରା ସେମାନେ ଆସ୍ଥା ହରାଇଛନ୍ତି ବୋଲି ଏହି ପରିବାର ପ୍ରକାଶ କରିଛି ।

Leave a Reply