ତଦନ୍ତ ପୂର୍ବରୁ ଏଠି ଗାଡ଼ିରେ ଡିଜେଲ ଭର୍ତ୍ତି କରିବାକୁ ପଡ଼ୁଛି…

1 min read

ଲକ୍ଷ୍ନୌ: ପୋଲିସ ପାଖରେ FIR ଲେଖିଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ। ନିଖୋଜକୁ ଖୋଜିବାରେ ପୁରା ଶକ୍ତି ଲଗାଇଦିଏ ପୋଲିସ। ଲୋକଙ୍କୁ ରକ୍ଷା ପାଇଁ ପୋଲିସଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଉପଯୁକ୍ତ ମାସିକ ବେତନ ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। ରାଜପଥରେ ପୋଲିସ ତାର କାର୍ଯ୍ୟ ପାଇଁ ସାରା ଦେଶ ଆଗରେ ସମ୍ମାନିତ ହେଉଛି। କିନ୍ତୁ କିଛି ମନ୍ଦ ଚରିତ୍ରର ପୋଲିସଙ୍କ ପାଇଁ ଖାକିରେ କଳଙ୍କ ଲାଗୁଛି। ଗୁହାରି ଶୁଣିବା ପୂର୍ବରୁ ଆଦେଶ ପାଳନ କରିବାକୁ ପଡ଼ୁଛି। ଆଉ ଆଦେଶ ପାଳନ କଲେ ତଦନ୍ତରେ ଜୋର ଧରିବ ନହେଲେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ। ଯେଉଁଠି ଯୋଗୀଙ୍କ ସରକାରରେ  ଦୁର୍ନୀତି ଏବଂ ଅତ୍ୟାଚାରର ଲୋପ ଘଟିଛି ବୋଲି ଡିଣ୍ଡିମ ବାଜୁଛି ସେଠି ଏଭଳି ଏକ ଘଟଣା ଲୋକଙ୍କୁ ଆଚମ୍ବିତ କରିଛି।

ଭିନ୍ନକ୍ଷମ ମାଆ ଆଗରେ ପୋଲିସ ଆଜି ଭିନ୍ନକ୍ଷମ ପାଲଟିଛି। ମହିଳା ଜଣକ ଜନ୍ମରୁ ସିନା ଭିନ୍ନକ୍ଷମ, କିନ୍ତୁ ପୋଲିସ ଲାଞ୍ଚ ପାଇଁ ଜାଣିଶୁଣିଆ ପଙ୍ଗୁ ପାଲଟିଛି। ଗାଡ଼ିର ଟାଙ୍କି ଡିଜେଲରେ ପୁରା ନକଲେ ଆମେ ତୁମର କୌଣସି କାର୍ଯ୍ୟ କରିବୁ ନାହିଁ ବୋଲି ଚୌକି ଟାଣ ଦେଖାଇଛି। ଡିଜେଲ ଦେଲେ ତୁମ ନାବାଳିକା ନିଖୋଜ ଝିଅକୁ ଖୋଜିବୁ ବୋଲି ଧମକ ମିଳୁଛି। ଯେଉଁଥିପାଇଁ ଭିନ୍ନକ୍ଷମ ମହିଳା ଜଣକ ଏକ ମାସ ମଧ୍ୟରେ ୧୦ରୁ ୧୫ ହଜାର ଟଙ୍କାର ଡିଜେଲ ପୋଲିସଙ୍କ ଗାଡ଼ିରେ ଭର୍ତ୍ତି କରିସାରିଲେଣି। ଖାଲି ସେତିକି ନୁହେଁ ନିଖୋଜ ହୋଇଥିବା ଝିଅର ଚରିତ୍ରକୁ ନେଇ ଅନେକ ଖରାପ କଥା କୁହାଯାଉଛି। ତେବେ ପୋଲିସଙ୍କର ଏଭଳି ବାରମ୍ବାର ଅତ୍ୟାଚାର ନ ସମ୍ଭାଳିପାରି ସେ କାନପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ବାରମ୍ବାର ଏତେ ଟଙ୍କାର ତେଲ ଗାଡ଼ିରେ ପକାଇବା ପାଇଁ ଟଙ୍କା କେଉଁଠୁ ଆଣିବି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ମାସରେ ଗୁଡ଼ିଆଙ୍କ ଝିଅକୁ କିଛି ଲୋକ ଅପହରଣ କରିନେଇଥିଲେ। ଯେଉଁଥିପାଇଁ ସେ ପୋଲିସ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କୁ ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଭିଡିଓ ଭାଇରାଲ ହେବା ପରେ କାନପୁର ପୋଲିସ ଟୁଇଟ କରି କହିଛି ଯେ ଗୁଡ଼ିଆଙ୍କ ଝିଅକୁ ଜଲଦି ଖୋଜିବା ସହ ହଇରାଣ କରୁଥିବା ପୋଲିସ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରାଯିବ। ସେ କହିଛନ୍ତି ନାବାଳିକା ଝିଅକୁ ଖୋଜିବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି ।

Leave a Reply