ତମ୍ବାର ଗାଁରେ ଆଉ ସୁଭୁନି ତମ୍ବାର ଚିତ୍କାର, କରୋନା ଉଜାଡ଼ି ଦେଇଛି ବେଉସା

ବୌଦ୍ଧ: କରୋନାର ରାସ୍ତା ପୁରା କଳା ମଚମଚ । ଏହି ରାସ୍ତାରେ କିଏ ଝୁଣ୍ଟି ମୁହଁ ମାଡ଼ି ପଡ଼ିଛି ତ ପୁଣି କିଏ ଆଣ୍ଠେଇ ପଡ଼ିଯାଇ ପୁଣି ଉଠିବାକୁ ଚେଷ୍ଟା କରୁଛି । ଘର ବାହୁଡ଼ିବା ରାସ୍ତାରେ ଜୀବନ ଆଲୁଅ ଲିଭିଯାଇଛି ପୁଣି କିଏ ହଜିଲା ସ୍ୱପ୍ନକୁ କରୋନାର କୁହୁଡ଼ି ଭିତରେ ଖୋଜିବାକୁ ଚେଷ୍ଟା କରୁଛି । କରୋନା ଉଜାଡ଼ି ଦେଇଛି ବେଉସା । ହାତବାନ୍ଧି ବସିଛନ୍ତି ତମ୍ବାନାଗ କାରିଗର । ନା ଅଛି ରୋଜଗାର, ନା ବିକ୍ରିବଟା ।  ପାଖରେ ଅର୍ଥ ନଥିବାରୁ ଦୁର୍ଦ୍ଦିନରେ ପରିବାର । ତମ୍ବାନାଗ ପାଇଁ ସାରା ଭାରତରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର ଗାଁ । ଏଠାକାର କାରିଗରଙ୍କ ଦ୍ବାରା ନିର୍ମିତ ନାଗ ମୂର୍ତ୍ତି ଦେଶର ପ୍ରାୟ ମନ୍ଦିରରେ ଦେଖିବାକୁ ମିଳେ । ଶ୍ରଦ୍ଧାଳୁଙ୍କ ମନଲାଖି ନାଗ ତିଆରି କରି ବେଶ ଦୁଇ ପଇସା ରୋଜଗାର କରନ୍ତି କାରିଗରମାନେ ।

ହେଲେ କରୋନା କଟକଣା ଯୋଗୁଁ କାରିଗର ପରିବାରର ଏହି ଏକମାତ୍ର ରୋଜଗାର ପନ୍ଥା ଏବେ ଠପ୍ ହୋଇଯାଇଛି । ନା ପାଖରେ ପଇସା ଅଛି ନା ବିକ୍ରିବଟା ହେଉଛି । । କଟକଣା ପରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗୁଡଭେଲିପଦର ଗାଁର ଭାରତ ପ୍ରସିଦ୍ଧ ତମ୍ବା ନାଗ କାରିଗର । ରୋଜଗାରର ଏକମାତ୍ର ପନ୍ଥା ଠପ୍ ହୋଇ ପଡିଥିବା ବେଳେ ତିଆରି ହୋଇଥିବା ଜିନିଷ ମଧ୍ୟ ବିକ୍ରି ହୋଇପାରୁନାହିଁ । ପାଖରେ ଟଙ୍କା ନଥିବାରୁ ଏବେ ସରକାରୀ ସହାୟତା ଅପେକ୍ଷାରେ ଏହି କାରିଗର ପରିବାର । ଫଳରେ ଚିନ୍ତାରେ ପୂରା ପରିବାର ।

କରୋନା ପାଇଁ ଦେଶର ସମସ୍ତ ମନ୍ଦିର ବନ୍ଦ ଅଛି । ତେଣୁ ଗୁଡଭେଲିପଦର ଗ୍ରାମର ପ୍ରାୟ ୧୫ ଟି ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ପାଖରେ ଥିବା ଅର୍ଥରେ ତମ୍ବାନାଗ ତିଆରି କରିଛନ୍ତି । ମାତ୍ର ଡିଲର ମାଲ ଉଠାଉ ନଥିବାରୁ ଘରେ ପଡି ରହିଛି । ଏପରି ସ୍ଥିତିରେ ପ୍ରଶାସନିକ ସହାୟତା ମିଳିଲେ ତାଙ୍କ ପରିବାର ପ୍ରତିପୋଷଣ ହୋଇ ପାରନ୍ତା ବୋଲି କହିଛନ୍ତି କାରିଗର । ଅର୍ଥ ଅଭାବଯୋଗୁଁ ତମ୍ବାନାଗ କାରିଗରଙ୍କ ବୃତ୍ତି ସଙ୍କଟରେ ପଡିଥିବାରୁ ଅନେକ ଏବେ କୌଳିକ ବେପାର ଛାଡିବାକୁ ଯୋଜନା କରୁଛନ୍ତି ।

Leave a Reply