ଆଉ ଇଣ୍ଡୋନେସିଆରୁ ଆସିବନି ରନ୍ଧନ ତୈଳ,  ଭାରତରେ ପୁଣି ବଢ଼ିପାରେ ଦର

1 min read

ନୂଆଦିଲ୍ଲୀ: ଭାରତରେ ଖାଇବା ତେଲର ମୂଲ୍ୟ ଏବେ କିଛି କମ୍‌ ନୁହେଁ । ଖାଉଟିଙ୍କୁ ଇନ୍ଧନ ଦର ଯେତିକି ବାଧୁଛି ତା’ଠାରୁ ଅଧିକ ବାଧୁଛି ରନ୍ଧନ ତୈଳ ଦର । ଦର ଏବେ ଆକାଶଛୁଆଁ । କିନ୍ତୁ ଏହା ମଧ୍ୟରେ ପୁଣିଥରେ ଖାଇବା ତେଲ ଦର ବଢ଼ିପାରେ । କାରଣ ସବୁଠାରୁ ଅଧିକ ପାମ୍‌ ଅଏଲ ଉତ୍ପାଦନ କରୁଥିବା ଦେଶ ଇଣ୍ଡୋନେସିଆ ଏବେ ଭାରତକୁ ତେଲ ପଠାଇବା ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ତେଲ ଉତ୍ପାଦନ କମ୍‌ ଥିବାରୁ ଇଣ୍ଡୋନେସିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ବିଶ୍ୱରେ ପାମ୍‌ ଅଏଲ ଉତ୍ପାଦନର ଅଧ ଭାଗ କେବଳ ଇଣ୍ଡୋନେସିଆରୁ ଆସିଥାଏ ।  ପ୍ରସେସ୍ଡ ଫୁଡ୍‌ ଠାରୁ ଆରମ୍ଭ କରି କସମେଟିକ୍‌ ପର୍ଯ୍ୟନ୍ତ ସାମଗ୍ରୀରେ ଏହା ବହୁଳ ବ୍ୟବହାର ହୁଏ । ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱଡୋଲୋ କହିଛନ୍ତିଯେ, ଋଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଦରଦାମ୍‌ ଯଥେଷ୍ଟ ବଢ଼ିଯାଇଛି  । ଏଭଳି ସ୍ଥିତିରେ ତାଙ୍କ ଦେଶରେ ଯେପରି ଲୋକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାପାଇଁ ନ ପଡ଼ୁ ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଘରୋଇ ବଜାରରେ କିଭଳି ତୈଳ ଦର କମ୍‌ ହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ସେ ଏକ ଭିଡ଼ିଓ ଜାରି କରି କହିଛନ୍ତି ।

କେବଳ ଭାରତ ନୁହେଁ ବରଂ ପାକିସ୍ତାନ୍‌ ଏବଂ ବାଂଲଦେଶ ଉପରେ ମଧ୍ୟ ଚଡ଼କ ପଡ଼ିବ । ଅନ୍ୟପଟେ Solvent Extractors’ Association of India ର ସଭାପତିଙ୍କ କହିବା ହେଉଛି ଇଣ୍ଡୋନେସିଆ ଏଭଳି ପ୍ରତିବନ୍ଧକ ଲଗାଇବ ବୋଲି ଆମେ କଳ୍ପନା ମଧ୍ୟ କରିନଥିଲୁ ।  ତେବେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସେ ଦେଉଥିବା ତୈଳକୁ ଆଉ କେହି ମଧ୍ୟ ପୂରଣ କରିପାରିବେ ନାହିଁ । ଅନ୍ୟପଟେ ଦ୍ୱିତୀୟ ଅଧିକ ପାମ୍‌ ଅଏଲ ଉତ୍ପାଦନକାରୀ ରାଷ୍ଟ୍ର ମାଲେସିଆର କହିବା ହେଉଛି ବିଶ୍ୱରେ ବର୍ତ୍ତମାନର ନୈରାଶ୍ୟଜନକ ପରିସ୍ଥିତିରେ ଆମେ ମଧ୍ୟ ତୈଳ ଯୋଗାଇ ପାରିବୁ ନାହିଁ ।