ରାଜ୍ୟ ନିର୍ବାଚନ କମିଶନଙ୍କ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବିଜ୍ଞପ୍ତିକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ନେଇ ଦ୍ବନ୍ଦ୍ବ । କୁକୁଡ଼ାଖଣ୍ଡି ବ୍ଲକ ଅଧ୍ଯକ୍ଷଙ୍କ ମୃତ୍ୟୁ ପରେ ସେଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଗୋଟିଏ ପଟେ ସମିତି ସଭ୍ଯ ପାଇଁ ଉପନିର୍ବାଚନ ହୋଇ ନଥିବା ବେଳେ ବ୍ଲକ ଅଧ୍ଯକ୍ଷ ନିର୍ବାଚନ ଲାଗି ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ହାଇକୋର୍ଟରେ ମାମଲା ଥିବାରୁ କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସମିତି ସଭ୍ୟ ପଦ ଖାଲି ପଡ଼ିଛି । ହେଲେ ବ୍ଲକ୍ ଅଧ୍ୟକ୍ଷ ପଦ ଉପନିର୍ବାଚନ ନେଇ ଆସିଲା ବିଜ୍ଞପ୍ତି । ଗତକାଲି ୬ଟି ବ୍ଲକ୍ ଅଧ୍ୟକ୍ଷ ଓ ଗୋଟିଏ ଉପାଧ୍ୟକ୍ଷ ଉପନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦ୍ବନ୍ଦ୍ବ ବଢିଛି । ଗଞ୍ଜାମ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ସଭ୍ୟ କାମାକ୍ଷାପ୍ରସାଦ ପାତ୍ର ଅଧ୍ଯକ୍ଷ ପଦରେ ଥାଇ ଜୁନ ୮ ତାରିଖରେ ଦେହାନ୍ତ ହୋଇଛି । ହେଲେ ଏଯାଏଁ ତାଙ୍କ ମୃତ୍ଯୁ ପରେ ଉପନିର୍ବାଚନ ହୋଇନି । ଆସନ୍ତା ୨୨ ତାରିଖରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏବେ ପ୍ରଶ୍ନ ଉଠୁଛି ସମିତି ସଭ୍ଯ ପଦ ଖାଲି ଥାଇ କିପରି ଅଧ୍ଯକ୍ଷ ପଦ ପାଇଁ ନିର୍ବାଚନ କରିବାକୁ କମିଶନ ବିଜ୍ଞପ୍ତି କଲେ ? ଅନ୍ଯପଟେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସମେତ ଗଞ୍ଜାମ କବିସୂର୍ଯ୍ୟନଗର, ଖଲ୍ଲିକୋଟ, କୁକୁଡାଖଣ୍ଡି, କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡ଼ ଭାପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।

ସେପଟେ ବିଜ୍ଞପ୍ତିକୁ ନେଇ ଉଠିଥିବା ଦ୍ବନ୍ଦ୍ବ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ସମିତି ସଭ୍ୟ ପଦ ଖାଲି ପଡ଼ିଥିଲେ ବି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ହୋଇପାରିବ । ବ୍ଲକ୍ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ କାଁ ଭାଁ କୌଣସି ସମିତି ସଭ୍ୟ ପଦ ଖାଲିପଡିଥିଲେ ବି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରାଯାଇପାରିବ । ଅତୀତରେ ଏପରି ଉଦାହରଣ ରହିଛି । କମିଶନଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । କିନ୍ତୁ ଉଚ୍ଚ ନ୍ୟାୟାଳୟ କମିଶନଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ । ସେପଟେ କବିସୂର୍ଯ୍ୟନଗର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି । ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟଙ୍କ ସ୍ଥିତାବସ୍ଥା ଆଦେଶ ବଳବତ୍ତର ଥିବାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ନିର୍ବାଚନକୁ କମିଶନ ସ୍ଥଗିତ ରଖିଛନ୍ତି ।

୧୪ ତାରିଖରେ ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୨ ତାରିଖରେ ନାମାଙ୍କନ ପତ୍ର ଦାଖଲ ଓ ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଯଦି ଗୋଟିଏ ଅଧ୍ୟକ୍ଷ ପଦ ପାଇଁ ଏକାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତାହେଲେ ସେହିଦିନ ଦିନ ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।