ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଘଟଣା, ୧୨ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

1 min read

ଭୁବନେଶ୍ବର: ଥମୁନି ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ଯପାଳଙ୍କ ପୁଅ ମାଡ଼ ମାରିବା ଝଡ଼ । ଘଟଣାର ୧୨ ଦିନ ପରେ ବି ପୋଲିସ ଓ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ଏଏସଓଙ୍କୁ ନ୍ୟାୟ ଦେବା ଦାବିରେ ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ ଓ ବିଭିନ୍ନ ସଂଗଠନ । ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ଦାବି କରି ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ବିଜେଡି ମଧ୍ୟ ଦାବି ସହ ନିଜର ସ୍ବର ମିଳାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ଏଏସଓଙ୍କୁ ନିସ୍ତୁକ ମାଡ଼ମାରି ଲୌହୁଲୁହାଣ କଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଓ ୫ ସହଯୋଗୀ । ଏହାରି ଭିତରେ ଘଟଣାକୁ ୧୨ ଦିନ ବିତିଲାଣି । ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ସହ ଏଏସଓଙ୍କୁ ନ୍ଯାୟ ଦେବାକୁ ଦାବି କରୁଛନ୍ତି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ । ରାଜରାସ୍ତାରେ ଜୋରଦାର ହେଉଛି ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଗିରଫ ଦାବି । ତଥାପି ଚୁପ ପୋଲିସ ପ୍ରଶାସନ, ଚୁପ୍ ରାଜ୍ୟ ସରକାର । ଏଏସଓଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ରାଜ୍ୟ ସରକାର ତାଙ୍କୁ ବଦଳି କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଜେଡି, କଂଗ୍ରେସ ପରେ ରାଜରାସ୍ତାକୁ ଓହ୍ଲାଇଛି ସିପିଆଇ । ରାଜଧାନୀର ରାଜମହଲ ଛକରେ ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଦଳ ରାଜ୍ୟପାଳଙ୍କୁ ସିଧା ସିଧା ପ୍ରଶ୍ନ କରିଛି- କ’ଣ ଗରିବ ଲୋକଙ୍କ ପାଇଁ ଗୋଟେ ଆଉ ବଡ଼ ବଡ଼ିଆଙ୍କ ପାଇଁ ଆଉ ଗୋଟିଏ ଆଇନ ? ଜଣେ ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ମାଡ଼ ମାରିଲେ । କୁଆଡ଼େ ଗଲା ବିଜେପିର ଓଡ଼ିଆ ଅସ୍ମିତା ? ତୁରନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରା ନଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଦଳ ଚେତାବନୀ ଦେଇଛି । ବିଜେଡି ମଧ୍ୟ ଏଏସଓଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ଦୋହରାଇଛି ।

ଏପଟେ ବିଜେପିର ହିଂସାତ୍ମକ ରାଜନୀତିକୁ ବିରୋଧ କରି ଖୋର୍ଦ୍ଧା ଓ ଭୁବନେଶ୍ବର ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି l କଂଗ୍ରେସ ଭବନରେ ବିଜେପି ଯୁବମୋର୍ଚ୍ଚା ଗଣ୍ଡଗୋଳ କରିବା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ଦୃଢ ବିରୋଧ କରିଛନ୍ତି ସଙ୍ଗଠନର କର୍ମକର୍ତ୍ତା । ତୁରନ୍ତ ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଚେତନ ନାଗରିକ ମଞ୍ଚ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି ।

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିବାଦ ତେଜିବାରେ ଲାଗିଛି । ଓଡ଼ିଆ ଅସ୍ମିତାକୁ ନେଇ ଚିତ୍କାର କରୁଥିବା ଶାସକ ଦଳ ଘଟଣାରେ ନୀରବତା ଅବଲମ୍ବନ କରିବାକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ଏହାରି ଭିତରେ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ତାକୁ ଚାହିଁ ବସିଛନ୍ତି ଓଡ଼ିଶାବାସୀ ।