ବର୍ଣ୍ଣବୋଧକୁ ବି ଛାଡିଲେନି: ନୂଆ ସଂସ୍କରଣରେ ପ୍ରକୃତ ବର୍ଣ୍ଣବୋଧର ବାଖ୍ୟାକୁ ନେଇ ବିବାଦ
ଭୁବନେଶ୍ବର: ଭକ୍ତ କବି ମଧୁସୂଦନ ରାଓଙ୍କ ୧୭୨ତମ ଜୟନ୍ତୀ ଅବସରରେ ତାଙ୍କ ଦ୍ବାରା ଲିଖିତ ବର୍ଣ୍ଣବୋଧର ନୂତନ ସଂସ୍କରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ଓଡ଼ିଶା ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ନୂତନ ସଂସ୍କରଣ ଯୁବପିଢୀଙ୍କୁ ଓଡ଼ିଆ ଭାଷା ବିଷୟରେ ଅଧିକ ଜ୍ଞାନ ଆହରଣର ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୮୫୩ରେ ଜନ୍ମିତ ମଧୁସୂଦନ ରାଓ ୧୮୯୫ରେ ବର୍ଣ୍ଣବୋଧର ରଚନା କରିଥିଲେ । ଯେଉଁଥିରେ ଓଡ଼ିଆର ଅକ୍ଷର, ବର୍ଣ୍ଣ, ଆକାର, ଶବ୍ଦ ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପରେ ଏଥିରେ ଛବି ଯୋଡ଼ାଯାଇ ପ୍ରଚ୍ଛଦରେ ବିଲେଇର ଫଟୋ ଥାଇ ଛବିଳ ମଧୁ ବର୍ଣ୍ଣବୋଧ ଭାବେ ବ୍ୟାପକ ଭାବେ ଆଦୃତ ହେଲା । ହେଲେ ଆଜିର ସଂସ୍କରଣ ଉନ୍ମୋଚନ ଉତ୍ସବରେ ଅତିଥିମାନଙ୍କ ବକ୍ତବ୍ୟକୁ ନେଇ ଭାଷାବିତ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବଦଳିଲା ବର୍ଣ୍ଣବୋଧ । ନୂଆ ରୂପରେ ନୂଆ ରଙ୍ଗରେ ବର୍ଣ୍ଣବୋଧ ଉନ୍ମୋଚିତ । ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ନୂତନ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଛି । ବିଲେଇ ବଦଳରେ ପ୍ରଚ୍ଛଦ ପୃଷ୍ଠାରେ ହରିଣ ଚିତ୍ର ସ୍ଥାନ ପାଇଛି । କଳାଧଳା ବଦଳରେ ରଙ୍ଗୀନ ହୋଇଛି ବର୍ଣ୍ଣବୋଧ । କାନ୍ଥବାଡ଼, କୋଠାବାଡ଼ିର ରଙ୍ଗ ଭଳି ବର୍ଣ୍ଣବୋଧ ବି ଗେରୁଆ ରଙ୍ଗରେ ପ୍ରକାଶିତ ହୋଇଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ନୂଆ ବର୍ଣ୍ଣବୋଧକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଉନ୍ମୋଚନ କରିଛନ୍ତି । ଶ୍ରୀପଞ୍ଜମୀ ହେଉଛି ମଧୁସୂଦନ ରାଓଙ୍କ ଜନ୍ମଦିନ । ଏହି ଅବସରରେ ପ୍ରକାଶିତ ନୂଆ ସଂସ୍କରଣ ଦ୍ବାରା ପିଲାମାନଙ୍କୁ ଓଡ଼ିଆ ଭାଷା ବିଷୟରେ ଜ୍ଞାନ ଆହରଣ କରିବାରେ ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଲେଇ ବଦଳରେ ହରିଣ ଫଟୋ ଥିଲେ ବି ଏହାର ମୌଳିକତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ହେଲେ ବର୍ଣ୍ଣବୋଧର ନୂତନ ସଂସ୍କରଣ ଓ ଏହାର ଲେଖା, ଛବିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷାବିତ । ୧୮୯୫ରେ ପ୍ରକାଶିତ ପ୍ରଥମ ସଂସ୍କରଣ ବହିର ନାଁ ଥିଲା ବର୍ଣ୍ଣବୋଧ । ପରେ ଏହାକୁ ଆଉ ଏକ ପ୍ରକାଶନ ସଂସ୍ଥା ଏଥିରେ କିଛି ଛବି ଯୋଡ଼ି ଛବିଳ ମଧୁ ବର୍ଣ୍ଣବୋଧ ନାଁରେ ବଜାରକୁ ଛାଡ଼ିଲେ । ହେଲେ ବିଲେଇ ଫଟୋ ଥିବା ଛବିଳ ମଧୁ ବର୍ଣ୍ଣବୋଧ ବ୍ୟାପକ ଭାବେ ଆଦୃତ ହୋଇଥିଲେ ବି ବହିର ଟାଇଟଲ ସହ ମଧୁବାବୁଙ୍କ କିଛି ସମ୍ପର୍କ ନଥିଲା । ହେଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସମସ୍ତେ ଛବିଳ ମଧୁ ବର୍ଣ୍ଣବୋଧ ମଧୁବାବୁଙ୍କ ଲିଖିତ ବୋଲି ବାରମ୍ବାର କହିବା ଦ୍ବନ୍ଦ ସୃଷ୍ଟି କରିଛି । ନୂତନ ସଂସ୍କରଣ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ପୁରୁଣା ବହିରେ ବିଲେଇର ଛବିକୁ ନେଇ ଅତିଥିମାନଙ୍କ ଉପାଖ୍ୟାନକୁ ନାପସନ୍ଦ କରିଛନ୍ତି ଭାଷାବିତ । ଏହାସହ ବହିର ରଙ୍ଗ ଶାସକ ଦଳର ରଙ୍ଗ ଗେରୁଆ ଭଳି ହୋଇଥିବାରୁ ଏହାକୁ ନେଇ ବି ପ୍ରଶ୍ନ ଉଠିଛି ।
୧୯୦୧ରେ ଏହାର ଅଷ୍ଟମ ସଂସ୍କରଣର ପ୍ରଚ୍ଛଦପଟକୁ ଆଧାର କରି ୨୦୨୫ରେ ମଧୁସୂଦନ ରାଓଙ୍କ ଜନ୍ମ ତିଥିରେ ନୂତନ ସଂସ୍କରଣ ଉନ୍ମୋଚିତ ହୋଇଛି । ଏହା ଆଗାମୀ ପିଢୀ ପାଇଁ ଖୁବ୍ ଉପାଦେୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହେଲେ ଅତିଥିମାନେ ବର୍ଣ୍ଣବୋଧ ଓ ଛବିଳ ମଧୁ ବର୍ଣ୍ଣବୋଧ ଭିତରେ ଥିବା ତଫାତକୁ ଜାଣି ପାରୁ ନଥିବାରୁ ଭାଷାବିତମାନେ କ୍ଷୋଭ ପ୍ରକାଶ କରିଛନ୍ତି ।