ରେଲଓ୍ବେ ସର୍ଭିସ ଷ୍ଟାଫଙ୍କ ଗେରୁଆ ଡ୍ରେସକୋଡକୁ ନେଇ ବିବାଦ

ନୂଆାଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ଉପରେ ଆସ୍ଥା ରଖୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଭାରତୀୟ ରେଲଓ୍ବେ ‘ରାମାୟଣ ଯାତ୍ରା ଏକ୍ସପ୍ରେସ’ ଆରମ୍ଭ କରିଛି । ଆରସିଟିସି ଧାର୍ମୀକ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ‘ନିଜ ଦେଶକୁ ଦେଖ’ ଜରିଆରେ ଏହି ଡିଲକ୍ସ ଏସି ଟ୍ୟୁରିଷ୍ଟ ଟ୍ରେନ୍ ଚଲାଉଛି । ହେଲେ ଟ୍ରେନର ସର୍ଭିସ ଷ୍ଟାଫଙ୍କ ଡ୍ରେସକୋଡକୁ ନେଇ ଦେଖା ଦେଇଛି ବିବାଦ । ରାମାୟଣ ଏକ୍ସପ୍ରେସରେ ସର୍ଭିସ ଷ୍ଟାଫ୍ ୟୁନିଫର୍ମରେ ଗେରୁଆା ରଙ୍ଗର ବସ୍ତ୍ର ପିନ୍ଧିଥିଲେ । ବେକରେ ରୁଦ୍ରାକ୍ଷ ମାଳ ଓ ମୁଣ୍ଡରେ ପଗଡ଼ି ଥିଲା । ଯାହାକୁ ନେଇ ଉଜ୍ଜୟନୀର ସନ୍ଥଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତୁରନ୍ତ ସର୍ଭିସ ଷ୍ଟାଫଙ୍କ ଡ୍ରେସକୋଡ ବଦଳା ନଗଲେ ୧୨ ଡିସେମ୍ବରରେ ଦିଲ୍ଲୀରେ ଏକାକୁ ଅଟକା ଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏମିତି ଡ୍ରେସକୋଡ ହିନ୍ଦୁ ଭାବନାକୁ କୁଠାରଘାତ କରୁଥିବା ସନ୍ଥମାନେ ଅଭିଯୋଗ କରିଥିଲେ ।

ଏହାପରେ ଭାରତୀୟ ରେଲଓ୍ବେ ପକ୍ଷରୁ ତୁରନ୍ତ ଆକ୍ସନ ନିଆଯିବା ସହ ରାମାୟଣ ଏକ୍ସପ୍ରେସର ସର୍ଭିସ ଷ୍ଟାଫଙ୍କ ଡ୍ରେସ୍ କୋଡ ବଦଳାଇ ଦିଆଯାଇଛି । ରେଲଓ୍ବେ ତରଫରୁ କୁହାଯାଇଛି ‘ଶ୍ରୀରାମୟଣ ଯାତ୍ରା ଏକ୍ସପ୍ରେସର ସର୍ଭିସ ଷ୍ଟାଫଙ୍କ ଡ୍ରେସ ସମ୍ପୂର୍ଣ୍ଣ ବଦଳାଇ ଦିଆଯାଇଛି । ଏବେ ସର୍ଭିସ ଷ୍ଟାଫ୍ ପ୍ରଫେସନାଲ କପଡ଼ା ପିନ୍ଧିବେ । ଅସୁବିଧା ପାଇଁ ଦୁଃଖିତ ।’

ଉଜ୍ଜୟନୀ ଆଖଡା ପରିଷଦର ପୂର୍ବ ମହାସଚିବ ଅବଧେଶପୁରୀ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ରାମାୟଣ ଏକ୍ସପ୍ରେସର ସର୍ଭିସ ଷ୍ଟାଫଙ୍କ ଡ୍ରେସକୋଡକୁ ନେଇ ଆପତ୍ତି ଉଠାଇଥିଲେ । ସାଧୁଙ୍କ ପରି ଟୋପି ଓ ଗେରୁଆ ବସ୍ତ୍ର ପିନ୍ଧିବା ସହ ରୁଦ୍ରାକ୍ଷ ମାଳ ପକାଇ ଯାତ୍ରୀଙ୍କୁ ପାଣି ଓ ଖାଇବା ପରଶିବା ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ । ତୁରନ୍ତ ଏହାକୁ ବଦଳା ନଗଲେ ଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେସନରେ ରେଳ ଧାରଣାରେ ବସି ଟ୍ରେନକୁ ଅଟକାଇବୁ । ହିନ୍ଦୁ ଧର୍ମର ରକ୍ଷା ପାଇଁ ଆମେ ଏମିତି କରିବାକୁ ବାଧ୍ୟ ହେବୁ ବୋଲି ସେ ଚେତାବନୀ ଦେଇଥିଲେ ।

Leave a Reply