ବ୍ୟାସକବିଙ୍କ ହାତଲେଖା ପାଣ୍ଡୁଲିପିଗୁଡ଼ିକର ପ୍ରକାଶନକୁ ଅଣନାତୁଣୀଙ୍କ ବିରୋଧ

କଟକ: ବ୍ୟାସକବି ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶକୁ ନେଇ ବିବାଦ । ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ଗୁଡ଼ିକୁ ପ୍ରକାଶ କରିବା ଦିଗରେ ଉଦ୍ୟମ ଚାଲିଥିବାବେଳେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ଏହାକୁ ବିରୋଧ କରିଛନ୍ତି ଫକୀରମୋହନଙ୍କ ଅଣନାତୁଣୀ ମୀନାକ୍ଷୀ ଦତ୍ତ । ପାଣ୍ଡୁଲିପିଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ନକରାଇବାକୁ ସେ ଦାବି କରିଛନ୍ତି । ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାର ସହ ନିର୍ଦ୍ଦେଶକ ଲଲାଟେନ୍ଦୁ ଦାସମହାପାତ୍ରଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରିଛନ୍ତି । ବ୍ୟାସକବିଙ୍କ ପାଣ୍ଡୁଲିପି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ଏହା ସର୍ବସାଧାରଣଙ୍କ ସମ୍ପତ୍ତି ବୋଲି ମତ ପ୍ରକାଶ ପାଇଛି । ବ୍ୟାସକବିଙ୍କ ୧୪୦ ବର୍ଷ ତଳର କିଛି ପାଣ୍ଡୁଲିପି ତାଙ୍କ ଅଣନାତୁଣୀ ମୀନାକ୍ଷୀଙ୍କ ନିକଟରେ ରହିଛି । ଏହାର ଅଧିକାଂଶ ଭାଗ ନଷ୍ଟ ହୋଇଗଲାଣି । ଦୀର୍ଘଦିନ ଧରି ଏହା ଉଦ୍ଧାର ଲାଗି ଚେଷ୍ଟା ହେଉଥିଲେ ବି ସମ୍ଭବ ହୋଇପାରିନାହିଁ । ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଜରିଆରେ ସେସବୁର ଡିଜିଟାଲ ସଂରକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମୀନାକ୍ଷୀ । ପ୍ରାୟ ୫ ହଜାର ପୃଷ୍ଠାର ଡିଜିଟାଲ୍ ଫାଇଲ୍ ପ୍ରସ୍ତୁତ ହୋଇସାରିଥିଲା। ମାତ୍ର ଏହାକୁ ୱେବସାଇଟ୍‌ରେ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ମୀନାକ୍ଷୀ ଅନୁମତି ଦେବାକୁ ମନା କରିଦେଇଛନ୍ତି । ତେବେ ଫକୀରମୋହନଙ୍କ ପ୍ରକାଶିତ ଜୀବନୀଠାରୁ ଏସବୁ ଅଲଗା ବୋଲି ଜଣାପଡିଛି । ଫକୀରମୋହନଙ୍କ ମୂଳଲେଖାକୁ ବଦଳାଇ ତାଙ୍କ ପୁଅ ଜୀବନୀ ପ୍ରକାଶ କରିଥିଲେ । ବାସ୍ତବ କଥା ଲୋକଲୋଚନକୁ ଆସିବା ଲାଗି ଉଦ୍ୟମ ହେଉଥିବାବେଳେ ଅଣନାତୁଣୀଙ୍କ ମାନସିକତା ଯୋଗୁ ଏହା ପ୍ରକାଶ ପାଇବାରୁ ବଞ୍ଚିତ ହୋଇଛି । ଆଇନ ଅନୁଯାୟୀ ଫକୀରମୋହନଙ୍କ ପାଣ୍ଡୁଲିପିର କପିରାଇଟ୍‌ ଅବଧି ଶେଷ ହୋଇସାରିଛି। ବ୍ୟକ୍ତିଗତ ମାଲିକାନା ଦାବି ଯୋଗୁ ବ୍ୟାସକବିଙ୍କ ଅପୂର୍ଣ୍ଣ ଆଶା ପୂରଣ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରାପଡ଼ା ରସାବଳିକୁ ଜି.ଆଇ ଟ୍ୟାଗ୍ ମାନ୍ୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବିଜେଡି ସାଂସଦ

Leave a Reply