ସଂସଦରେ କିଛି ଶବ୍ଦ ଉପରେ ପ୍ରତିବନ୍ଧକକୁ ନେଇ ବିବାଦ; ବିରୋଧୀ କହିଲେ ଏସବୁ ଶବ୍ଦର ବ୍ୟବହାର ଜାରି ରଖିବୁ

1 min read

ନୂଆଦିଲ୍ଲୀ: ରାଜ୍ୟସଭା ଏବଂ ଲୋକସଭା ସଂସଦରେ ବ୍ୟବହୃତ କିଛି ଶବ୍ଦକୁ ଅସଂସଦୀୟ ମାନ୍ୟତା ଦିଆଯାଇଛି । ଆଗକୁ ଏହି ଶବ୍ଦ ସାଂସଦମାନେ ସଂସଦରେ ବ୍ୟବହାର କରିପାରିବେନାହିଁ । ତେବେ କଂଗ୍ରେସ ଏବଂ ତମାମ ବିରୋଧୀ ଦଳ କିନ୍ତୁ ଏହାକୁ ମାନିବା ପାଇଁ ନାରାଜ । ମୌସୁମୀ ଅଧିବେସନରେ ଏହି ସବୁ ଶବ୍ଦର ବ୍ୟବହାର ଦୁଇଟି ଯାକ ଗୃହରେ କରିବ ବୋଲି କଂଗ୍ରେସ ସ୍ପଷ୍ଟ ଭାବେ କହିଛି । ରାଜ୍ୟସଭାରେ ବିରୋଧୀ ଏବଂ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏସବୁ ଶବ୍ଦ ଅସଂସଦୀୟ ନୁହେଁ ଏବଂ ଯାହା ଅସଂସଦୀୟ ନୁହେଁ ତାର ବ୍ୟବହାର ଅବଶ୍ୟ କରିବୁ । ଖଡଗେ କହିଛନ୍ତି, ବିଜେପି ପୂର୍ବରୁ ଏହି ସବୁ ଶବ୍ଦର ବ୍ୟବହାର କରିଛି ତେବେ ଆମେ କଣ ପାଇଁ ନକରିବୁ । କଂଗ୍ରେସର ମିଡିଆ ସେଲର ମହାସଚିବ ଜୟରାମ ରମେଶ କହିଛନ୍ତି, କଂଗ୍ରେସ ଏହି ସବୁ ଶବ୍ଦର ବ୍ୟବହାର କରିବ । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଟ୍ୱିଟ କରି କହିଛନ୍ତି, ନିଉ ଇଣ୍ଡିଆ ପାଇଁ ଏବେ ନୂଆ ଡିକ୍ସିନାରୀ ।

ଅନ୍ୟପକ୍ଷରେ ଟିଏମସି ନେତା ଡେରେକ ଓବ୍ରାଏନ ଟ୍ୱିଟ କରି କହିଛନ୍ତି, ଏବେ ଆମେ ସଂସଦରେ ଭାଷଣ ଦେଲାବେଳେ ସାମାନ୍ୟ ଶବ୍ଦର ବ୍ୟବହାର ଉପରେ ରୋକ ଲାଗିବ  । ତେବେ ମୋତେ ନିଲମ୍ବନ କରନ୍ତୁ କିମ୍ବା ଜେଲ ପଠାନ୍ତୁ ହେଲେ ଏହି ଶବ୍ଦର ବ୍ୟବାହର ମୁଁ କରିବି  । ସେହିପରି ଶିବସେନା ସାଂସଦ, ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଟ୍ୱିଟ କରି ଏହି ନୂଆ ନିୟମକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି । ସେ କହିଛନ୍ତି, ସରକାର ଚାହୁଁଛନ୍ତି ଯେ, ଦୁର୍ନୀତି କଲେ ଆମେ ତାକୁ ଦୁର୍ନୀତି ନକହି ମାଷ୍ଟରଷ୍ଟ୍ରୋକ କହିବୁ । ୨ କୋଟି ରୋଜଗାର, କୃଷକଙ୍କ ଆୟ ଦ୍ବିଗୁଣା ଭଳି କେନ୍ଦ୍ରର ଜୁମଲାକୁ ଜୁମଲାବାଜୀ ନକହି ଥ୍ୟାଙ୍କୟୁ କୁହାଯିବ । ବିଜେପି ପ୍ରଥମେ ସଂସଦରେ କୃଷକଙ୍କ ପାଇଁ ଆନ୍ଦୋଳନଜୀବୀ ଶବ୍ଦର ବ୍ୟବହାର କରିଥିଲା  । ଆଉ ଏବେ ସରକାର ନିଜକୁ ଭର୍ସନାରୁ ରକ୍ଷା କରିବା ପାଇଁ ଏହି ସବୁ ଶବ୍ଦ ବ୍ୟବହାର ଉପରେ ରୋକ୍ ଲଗାଇ ଦେଇଛନ୍ତି  ।

ଲୋକସଭା ସଚିବାଳୟ ପକ୍ଷରୁ ଜାରି ବୁକଲେଟରେ ଶକୁନି, ତାନାଶାହ, ତାନାଶାହି, ଜୟଚନ୍ଦ, ବିନାଶ ପୁରୁଷ, ଜୁମଲାବାଜୀ, ବାଲବୁଦ୍ଧି, ଦୋହରା ଚରିତ୍ର, ନିକ୍କମା, ନୌଟଙ୍କୀ, ଧିନ୍ଦୋରା, ପିଟନା, ବେହରି ସରକାର, ଚାମଚା, ଚାମଚାଗିରି, ଚେଲା, ଘଡିଆଲି ଆଶୁ, ଅପମାନ, ଅସତ୍ୟ, ଅହଙ୍କାର, କାଲାଦିନ, କଲାବଜାରୀ, ବିଶ୍ୱାସଘାତ ଭଲି ହିନ୍ଦୀ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ବ୍ଲଡ୍ ସେଡ୍, ବ୍ଲଡି, ବିଟ୍ରେଡ, ଆସେମ୍ଡ, ଆବ୍ୟୁଜଡ, ଚିଟେଡ, ଚାଇଲ୍ଡିସନେସ୍, କରପ୍ଟ, କାୱାର୍ଡ, କ୍ରିମିନାଲ, କ୍ରୋକଡାଇଲ ଟିୟର୍ସ, ଡଙ୍କି, ଗୁନ୍ ଇତ୍ୟାଦି ଇଂରେଜୀ ଶବ୍ଦକୁ ଅସଂସଦୀୟ ଶବ୍ଦ ଭାବେ ତାଲିକାଭୁକ୍ତ କରାଯାଇଛି  । ଯଦି କୌଣସି ସାଂସଦ ସଂସଦ ଚାଲୁଥିବା ସମୟରେ ଏହି ଶବ୍ଦର ବ୍ୟବହାର କରନ୍ତୁ ତେବେ ତାଙ୍କୁ ଗୃହରୁ ବାହାର କରାଯିବ । ସୂଚନାଥାଉକି, ଲୋକସଭା ସଚିବାଳୟ ଅଂସଦୀୟ ଶବ୍ଦ ୨୦୨୧ ଶୀର୍ଷକ ଆଧାରରେ ଶବ୍ଦ ଏବଂ ବାକ୍ୟର ଏକ ନୂଆ ସଙ୍କଳନ ପ୍ରସ୍ତୁତ କରିଛନ୍ତି ଯାହାକୁ ଅଂସସଦୀୟ ଅଭିବ୍ୟକ୍ତି ଶ୍ରେଣୀରେ ରଖାଯାଇଛି । ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ  ।