ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ

ଟାଙ୍ଗୀ: ଜମି ବିବାଦ ନେଇ ପାଚେରୀ ଭାଙ୍ଗିଲେ, କୂଅ ପୋତିଲେ ଓ ଘର ପୋଡ଼ିଦେଲେ । ଘଟଣା ଘଟିଛି ଟାଙ୍ଗୀ ଥାନା ଭୂଷଣ୍ଡପୁର ଗୋବର୍ଦ୍ଧନପୁରରେ । ଜଳନ୍ଧର ପ୍ରଧାନଙ୍କ ଘରେ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ । ଦୀର୍ଘଦିନ ହେବ ସପରିବାର ଗୋବର୍ଦ୍ଧନପୁର କଲୋନୀରେ ରହୁଥିଲେ । ଝାନସିପାଟଣା ଗ୍ରାମବାସୀ ଏହି ଜାଗାକୁ ଶ୍ମଶାନ ଜମି ବୋଲି ଦାବି କରି ଆସୁଥିଲେ । ବିବାଦ ଲାଗି ରହିଥିବାରୁ ଜିଲ୍ଲା ପ୍ରଶାସନ ସାମ୍ନାରେ ବୁଝାମଣା ବି ହୋଇଥିଲା । ଜଳନ୍ଧରଙ୍କୁ ଜମି ଛାଡ଼ିବା ଦାବିରେ ଝାନସିପାଟଣା ଗ୍ରାମବାସୀ ସଂଘବଦ୍ଧ ଭାବେ ପାଚେରୀ ଭାଙ୍ଗି, କୂଅ ପୋତି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ଭୂଷଣ୍ଡପୁର ପୋଲିସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସମସ୍ତ ଆସବାବପତ୍ର ପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇସାରିଥିଲା । ଜଳନ୍ଧର ତାଙ୍କ ଝିଅର ବାହାଘର ପାଇଁ ସୁନା, ରୂପା, ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ରଖିଥିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗି ଜଳନ୍ଧରଙ୍କ ପୁଅ ଶମ୍ଭୁନାଥଙ୍କ ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି । ସ୍ତ୍ରୀ ଓ ଝିଅ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।