ଲୋକ ପାଉନାହାନ୍ତି ଟିକା, ବିଜେପି ସାଂସଦ ଘରେ ନେଲେ ଭ୍ୟାକ୍ସିନ୍

ଭୋପାଳ: ଦେଶରେ କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ସାଧାରଣ ଲୋକ ଜୀବନ ବଂଚାଇବା ପାଇଁ ଟିକାକୁ ଚାତକ ଭଳି ଚାହିଁ ରହିଛନ୍ତି । ଟିକା ପଂଜିକରଣ ପାଇଁ ଲୋକଙ୍କ ଭରସା କୋୱିନ୍ ପୋର୍ଟାଲ । କିନ୍ତୁ ପୋର୍ଟାଲ ଦେଉଛି ଚକମା । ପୋର୍ଟାଲ ଖୋଲିଲେ ବୁକିଂ ପାଇଁ ସ୍ଲଟ୍ ହିଁ ନାହିଁ । ଲୋକଙ୍କ ପାଇଁ ଟିକା ଅପ୍ରାପ୍ୟ ହୋଇଥିବା ବେଳେ ନେତାଙ୍କ ପାଇଁ କିନ୍ତୁ ଏହ ସହଜରେ ଉପଲବ୍ଧ । ଲୋକ ଟିକା କେନ୍ଦ୍ରରେ ଗହଳି କରି ଟିକା ନେଉଛନ୍ତି । କିଛି ପାଉଛନ୍ତି କିଛି ପାଉ ନାହାନ୍ତି । କିନ୍ତୁ ଭାରତରେ ଏମିତି ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ପାଖରେ ଟିକା ପହଂଚି ଯାଉଛି । ପୁରା ସିଷ୍ଟମ ସେମାନଙ୍କ ଘରେ ପଂହଚି ଟିକା ଦେଉଛି । ସେମାନେ ହେଉଛନ୍ତି ରାଜନେତା ।
ମଧ୍ୟପ୍ରଦେଶରୁ ଏହିଭଳି ଗୋଟିଏ ଚମକାଇବା ଭଳି ଖବର ଆସିଛି । ଜନସେବା କଥା କହି ରାଜନୀତିକୁ ଆସିଥିବା ନେତା କରୋନା ଆତଙ୍କରେ ଲୋକଙ୍କୁ ଭୁଲି ଆଗ ନିଜେ କେମିତି ସୁରକ୍ଷିତ ରହିବେ ସେକଥା ଭାବୁଛନ୍ତି । ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ ପାଇଁ ଜନତା ପଛ ନିଜ ଜୀବନ ଆଗ ।
ବିଜେପିର ଏହି ନେତାଙ୍କ ନିଜର ନିର୍ବାଚନ ମଣ୍ଡଳୀର ଜନତା ଟିକା ପାଉଛନ୍ତି କି ନାହିଁ ତାକୁ ନେଇ ଚିନ୍ତା ନାହିଁ । ଆପେ ବଂଚିଲେ ବାପା ନାଁ ନ୍ୟାୟରେ ସେ ଆଗ ଟିକା ନେଇଛନ୍ତି । ତା’ପୁଣି ନିଜ ଅଫିସରେ । ଉଜ୍ଜୟନୀର ସେଠି ନଗର ସ୍ଥିତ ନିଜ ଅଫିସରେ ସାଂସଦ ଟିକା ନେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସାଂସଦ କେବଳ ଏକା ଟିକା ନେଇ ନାହାନ୍ତି । ତାଙ୍କ ସହଯୋଗୀ ମାନେ ମଧ୍ୟ ଟିକା ନେଇଛନ୍ତି । ସାଧାରଣ ଜନତା ଯେଉଁଠି ଟିକା ନେବାକୁ ଲମ୍ବା ଲାଇନରେ ବିପଜ୍ଜନକ ପରିସ୍ଥିତିରେ ଛିଡା ହେଉଛନ୍ତି ସେଠି କେମିତି ସାଂସଦଙ୍କୁ ତାଙ୍କ ଅଫିସରେ ଟିକା ଦେବାକୁ ପ୍ରଶାସନ ପହଂଚି ଗଲା ତାକୁ ନେଇ ପ୍ରଶ୍ନ ଉଠୁଛି । ନିଜ ଅଫିସରେ ଟିକା ନେଉଥିବା ସାଂସଦଙ୍କ ଫଟୋ ଭାରତରେ ଭିଆଇପି କଲଚର କେତେ ମଜବୁତ ସେ କଥା କହୁଛି ।
ସୂଚନାଯୋଗ୍ୟ ଯେ, ସାଂସଦଙ୍କ ନିଜ ନିର୍ବାଚନ ମଣ୍ଡଳିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ମିଳୁନାହିଁ । ୪୫ ବର୍ଷରୁ ଅଧିକ ଯେଉଁମାନେ ଟିକା ନେଇଥିଲେ ସେମାନେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଅପେକ୍ଷାର ଅନ୍ତ ହେଉନାହିଁ ।ଏମିତିରେ ନେତାଙ୍କ ଅଫିସରେ ବସି ଟିକା ନେବା ଚିତ୍ର ନିଶ୍ଚିତ ଭାବେ ଆମ ବ୍ୟବସ୍ଥାକୁ ଶକ୍ତ ଚାପୁଡା ।

Leave a Reply