ସଂସଦ ଶୀତ ଅଧିବେଶନ: ସର୍ବଦଳୀୟ ବୈଠକ ପୂର୍ବରୁ ବିବାଦ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ । ତେବେ ବୈଠକ ଆରମ୍ଭରୁ ଦେଖାଦେଇଛି ବିବାଦ । ଅଧିବେଶନରେ ଆଦାନୀ ଗ୍ରୁପ ବିରୋଧରେ ଉଠିଥିବା ଲାଞ୍ଚ ମାମଲାର ପୁଙ୍ଖାନୁପୁଙ୍ଖ ଆଲୋଚନା ଦାବି କରିଛି କଂଗ୍ରେସ । ସେହିପରି ମଣିପୁର ଓ ଉତ୍ତର ଭାରତରେ ପ୍ରଦୂଷଣ ଓ ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରିଛନ୍ତି ବିରୋଧୀ । ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଦାନୀ ଗ୍ରୁପର ୨୩୦୦ କୋଟି ଟଙ୍କା ଲଞ୍ଚ ମାମଲା ଦେଶର ଅର୍ଥନୀତି ଓ ନିରାପତ୍ତା ନେଇ ପ୍ରଶ୍ନ ସୃଷ୍ଟି କରିଛି ବୋଲି କଂଗ୍ରେସ କହିଛି । ସର୍ବଦଳୀୟ ବୈଠକକୁ ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ ଆହୁତ କରିଥିବାବେଳେ ଏଥିରେ ଅଧିକାଂଶ ଦଳର ନେତାମାନେ ସାମିଲ ହୋଇଥିଲେ । ଚଳିତ ଅଧିବେଶନରେ ୧୬ଟି ବିଲ୍ ଆଗତ ହେବ । ତନ୍ମଧ୍ଯରେ ରହିଛି ୱାକଫ ସଂଶୋଧନ ବିଲ୍ । ନଭେମ୍ବର ୨୬ରେ ସମ୍ବିଧାନର ୭୫ତମ ବାର୍ଷିକୀ ପାଳନ ନେଇ ବି ଆଲୋଚନା ହୋଇଛି ।