ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ କେନ୍ଦ୍ର ସ୍ଥଗିତ ରଖିବାକୁ ନେଇ ତେଜିଲା ବିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାର ପରିବେଶ ମଂଜୁରୀକୁ ସ୍ଥଗିତ ରଖିବା ପରେ ଅନିଶ୍ଚିତତାରେ ଏହି ଏୟାରପୋର୍ଟ । ବିମାନ ବନ୍ଦର ହେବ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଗଲାଣି । ଏହା ପରେ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି । ଏପରିକି ପୁରୀରେ ବିମାନବନ୍ଦର ନକଲେ, ଶ୍ରୀଜଗନ୍ନାଥ ସଂସ୍କୃତିର ଉନ୍ନତି ନ କଲେ, ସରକାରଙ୍କ ପତନ ହେବ ବୋଲି ଚେତାଇ ଦିଆଯାଇଛି ଦଳ । ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କଡ଼ା ଭର୍ତ୍ସନା କରିଛି ।

ପୁରୀ ବିମାନ ବନ୍ଦର ନିର୍ମାଣ ପାଇଁ ଦରକାର ହେଉଥିବା ମଂଜୁରୀ ସ୍ଥଗିତ ହେବା ପରେ ତେଜିଲା ରାଜନୀତି । କେନ୍ଦ୍ର କାହିଁକି ବାଧକ ସାଜିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ କହିଛନ୍ତି, ପୁରୀରେ ବିମାନବନ୍ଦର ହେବା ଅତ୍ୟନ୍ତ ଜରୁରୀ ।  ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ହେଲେ ସାରା ବିଶ୍ୱରୁ ଲୋକେ ସିଧା ପୁରୀରେ ପହଂଚିବେ । ଓଡି଼ଶା ସଂପର୍କରେ ସାରା ବିଶ୍ଵର ଲୋକେ ସହଜରେ ଜାଣିବେ । ପୁରୀ ଏୟାରପୋର୍ଟ ନିର୍ମାଣରେ ଯାହା ଅସୁବିଧା ଆସୁ, ସେ ଜଙ୍ଗଲ ଜମି ହେଉ କି ଆଉ କେଉଁ ଅସୁବିଧା ହେଉ ପୁରୀରେ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ରକୁ ବାଧ୍ୟ କରିବୁ । ପୁରୀରେ ବିମାନ ବନ୍ଦର ହେଲେ ଅସୁବିଧା ହେବ ବୋଲି ଯେଉଁମାନେ ଭାବୁଛନ୍ତି, ସେମାନେ ଜାଣି ରଖନ୍ତୁ, ଅନେକ ଅନ୍ତର୍ଜାତୀୟ ବିମାନ ବନ୍ଦର ସମୁଦ୍ର କୂଳରେ ହୋଇଛି, ଆଉ କିଛି ସମୁଦ୍ର ଭିତରେ ନିର୍ମିତ ହୋଇଛି । କେନ୍ଦ୍ର ଯଦି ପୁରୀରେ ବିମାନବନ୍ଦର ନ କରିବ, ଶ୍ରୀଜଗନ୍ନାଥ ସଂସ୍କୃତିର ଉନ୍ନତି ନ କରିବ, ତେବେ ଏହି ସରକାରର ପତନ ହେବ ବୋଲି ଚେତାଇ ଦେଇଛନ୍ତି ଦିବ୍ୟଶଙ୍କର ।

ସେପଟେ ପିସିସି ସଭାପତି କହିଛନ୍ତି, ବିଜେପିର ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ଡବଲ ଧୋକା । ସବୁ କ୍ଷେତ୍ରରେ ଓଡ଼ିଶାକୁ ଲୁଟିଛନ୍ତି । ସେପଟେ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ କହିଛନ୍ତି ପୁରୀରେ ଏୟାରପୋର୍ଟ ହେବ । କେନ୍ଦ୍ର ସରକାରଙ୍କ ନିକଟରେ ନିଶ୍ଚିତ ଭାବରେ ଦାବି ରଖିବୁ । ଯାହା ବାଧକ ଅଛି ତାକୁ ଦୂର କରିବା ପାଇଁ କେନ୍ଦ୍ର ସହିତ ଆଲୋଚନା କରିବେ ରାଜ୍ୟ ସରକାର ।

ପୁରୀ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଦରକାର ହେଉଥିବା ବେଳେ ଏ ସଂପର୍କିତ ମଞ୍ଜୁରୀକୁ ସ୍ଥଗିତ ରଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ଅଲିଭ୍ ରିଡଲେ କଇଁଛ, ପ୍ରବାସୀ ପକ୍ଷୀମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରାଯାଇଛି ।

ପରିବେଶ ମନ୍ତ୍ରାଳୟର ଜଙ୍ଗଲ ପରାମର୍ଶଦାତା କମିଟି (FAC) ପୁରୀର ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମଞ୍ଜୁରୀକୁ ସ୍ଥଗିତ ରଖିଛି । ଅଲିଭ୍ ରିଡଲେ କଇଁଛ, ଇରାବତୀ ଡଲଫିନ୍, ପ୍ରବାସୀ ପକ୍ଷୀଙ୍କ ପ୍ରତି ସମ୍ଭାବ୍ୟ କ୍ଷତି, ଉପକୂଳକୁ ବାତ୍ୟାରୁ ସୁରକ୍ଷା ଦେଉଥିବା ୧୩ ହଜାର ଗଛ କାଟିବାକୁ ପଡ଼ିବ । ବଡ଼ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଖୋଜୁଥିବା ପ୍ରସ୍ତାବଗୁଡ଼ିକର ଯାଞ୍ଚ କରୁଥିବା FAC, ଓଡ଼ିଶା ସରକାରଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏହି ମାମଲାକୁ ଡବ୍ଲ୍ୟୁଆଇଆଇକୁ ପଠାଇବାକୁ ଅନୁରୋଧ କରିଛନ୍ତି ।