ଶ୍ରୀମନ୍ଦିରରେ ଜେପିଟି କର୍ମଚାରୀ ନିଯୁକ୍ତି ପ୍ରସଙ୍ଗ, ମନ୍ଦିର ପ୍ରଶାସନର ଚିଠିକୁ ନେଇ ତେଜିଲା ଅସନ୍ତୋଷ

ପୁରୀ: ଶ୍ରୀମନ୍ଦିରରେ ଜେଟିପି କର୍ମଚାରୀ ନିୟୋଜନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଚିଠି କରାଯାଇଛି । ଏହାକୁ ନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରମୁଙ୍କ ସେବା ନେଇ ଦୀର୍ଘ ବର୍ଷ ହେବ ଜଗନ୍ନାଥ ଟେମ୍ପଲ ପୋଲିସ ବା ଜେଟିପି ନିୟୋଜିତ ହୋଇ ଆସୁଥିବା ବେଳେ ସେମାନଙ୍କର ନିଯୁକ୍ତି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିଜେ କରି ଆସୁଥିଲା ।
ଏବେ ୭୫ଟି ଜେଟିପି ନିଯୁକ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଚିଠି କରାଯାଇଛି । ଚିଠିରେ ଭୁବନେଶ୍ଵର ସହିଦନଗରର ଏମ୍/ଏସ୍ ପ୍ରପର୍ଟି ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡକୁ ନିଯୁକ୍ତିରେ ସହଯୋଗ ପାଇଁ ନିବେଦନ କରାଯାଇଛି । ଏହି ଚିଠିର ନମ୍ବର ରହିଛି ୨୬୦୨/୨୭.୦୨.୨୦୨୫ । ଚିଠିରେ ୬୦ଜଣ ପୁରୁଷ ଓ ୧୫ଜଣ ମହିଳାଙ୍କୁ ଜେଟିପି ସ୍କ୍ୱାଡ୍ ଭାବେ ନିଯୁକ୍ତି ଦେବା ପାଇଁ ଦର୍ଶାଯାଇଛି । ଯାହା ବେଆଇନ ବୋଲି ବିଭିନ୍ନ ମହଲରେ ଅଭିଯୋଗ କରାଯାଇଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ସେବାୟତ ପରିବାରର ସଦସ୍ୟଙ୍କୁ ଜେଟିପିରେ ନିଯୁକ୍ତି ପାଇଁ ବରିଷ୍ଠ ସେବାୟତ ଦାବି କରିଛନ୍ତି । ସେପଟେ ଜେଟିପି ନିଯୁକ୍ତିରେ ଘରୋଇ ସଂସ୍ଥାକୁ ଚିଠିକୁ ନେଇ ଦୁର୍ନୀତିର ଗନ୍ଧ ବାରି ହେଉଛି ।