ଟାସ୍କ ଫୋର୍ସରେ ନାହାନ୍ତି କୋରାପୁଟ ସାଂସଦ କି ରାୟଗଡ଼ାରୁ ପ୍ରତିନିଧି, ପ୍ରଥମ ବୈଠକରୁ ବିବାଦ
ଭୁବନେଶ୍ବର: ଦକ୍ଷିଣ ଓଡ଼ିଶା ପରିଷଦ ପାଇଁ ଗଠିତ ଟାସ୍କ ଫୋର୍ସରେ ନାହାନ୍ତି କୋରାପୁଟ ସାଂସଦ । ରାୟଗଡ଼ା ଜିଲ୍ଲାରୁ କୌଣସି ବିଧାୟକ ମଧ୍ୟ ନାହାନ୍ତି । ଟାସ୍କ ଫୋର୍ସର ପ୍ରଥମ ବୈଠକରେ ଏନେଇ ସୃଷ୍ଟି ହୋଇଛି ବିବାଦ । କେବଳ ରାଜନୀତି ପାଇଁ ଏପରି ଘୋଷଣାକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଅଧିକ ଜନସଂଖ୍ୟା ସହିତ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ସାମଗ୍ରୀକ ବିକାଶ ପାଇଁ ସରକାର ହଜାରେ କୋଟି ଦେବାକୁ ଦାବି କରିଛି ବିଜେଡି । ପ୍ରଥମ ଟାସ୍କ ଫୋର୍ସ ବୈଠକରେ ପରିଷଦର ରୂପରେଖ ନେଇ ଆଲୋଚନା ହୋଇଛି । ଏଥିରେ ୭ଟି ଜିଲ୍ଲା ରଖିବାକୁ ନିଷ୍ପତ୍ତି ହୋଇଛି ।
ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପୂର୍ବରୁ କେଁ । ସମସ୍ତଙ୍କୁ ସମାନ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଗମନାଗମନ, ନିଯୁକ୍ତି ଉପରେ ବିଜେଡି ଦେଇଛି ଗୁରୁତ୍ବ । ସରକାର ବର୍ଷକୁ ହଜାରେ କୋଟି ଦେବାକୁ ବିଜେଡି ଦାବି କରିଛି ।
ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ହୋଇଥିବା ଟାସ୍କ ଫୋର୍ସର ପ୍ରଥମ ବୈଠକରେ ବିବାଦ ଜଳଜଳ ଦିଶୁଛି । କୋରାପୁଟ ସାଂସଦ ଓ ରାୟଗଡ଼ାର କୌଣସି ବିଧାୟକ ନ ରହିବାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି । କେବଳ ରାଜନୀତି ନକରି ସମାଗ୍ରୀକ ବିକାଶକୁ ଗୁରୁତ୍ବ ଦେବାକୁ ପଡ଼ିବ । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରିବାକୁ ବୈଠକରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଦକ୍ଷିଣ ଓଡ଼ିଶାରେ ଗମନାଗମନ, ନିଯୁକ୍ତି, ଶିଳ୍ପ ଉପରେ ଗୁରୁତ୍ବ ଦେବାକୁ ବିଜେଡି ଦାବି କରିଛି ।
୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ସେହି ସବୁ ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର । ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରାଯାଇଛି । ପରିଷଦରେ ସବୁ ଦଳର ବିଧାୟକ ଓ ସାଂସଦଙ୍କୁ ସାମିଲ କରିବା ସହ ଦାବି ଅନୁସାରେ ଏକ ବୈଧାନିକ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲା ଅନୁନ୍ନତ ହୋଇଥିବାରୁ ମୋବାଇଲ ଓ ବ୍ୟାଙ୍କିଙ୍ଗ ନେଟଓ୍ବର୍କ ସୁଦୃଢ଼ କରିବା ସହ ସମ ଅନୁପାତରେ ସରକାର ବିକାଶ ପାଇଁ ନଜର ଦେବାକୁ ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ କହିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶରେ ଏହି ପରିଷଦ ସହାୟକ ହେବ ବୋଲି କହିଛନ୍ତି ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ଡିସେମ୍ବର ୩ରେ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ରୂପରେଖ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସ ଗଠନ କରିଥିଲେ । ପ୍ରଥମ ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସର ସାଂସଦ ଓ ବିଧାୟକମାନେ ଯୋଗ ଦେଇଛନ୍ତି। ଶୀଘ୍ର ଟାସ୍କ ଫୋର୍ସ ସରକାରଙ୍କୁ ରିପୋର୍ଟ ଦେବ ।