ସରକାର ଗଠନ ନହେଉଣୁ ବିଭାଗ ନେବାକୁ ଏନଡିଏ ସହଯୋଗୀ ଦଳଙ୍କ ମଧ୍ୟରେ ଛକାପଞ୍ଝା !

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ସରିଛି, ଫଳାଫଳ ବି ଆସି ସାରିଛି । ଏନଡିଏକୁ ସ୍ପଷ୍ଟ ବହୁମତ ମଳିଥିବା ବେଳେ ବିଜେପି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ଘରେ ନପଶୁଣୁ ଚାଳ ବାଜିବା ସ୍ଥିତି ଉପୁଜିଲାଣି । ସରକାର ଗଠନ ପୂର୍ବରୁ ବିଜେପିର ସହଯୋଗୀ ଦଳଙ୍କ ମଧ୍ୟରେ ମନ୍ତ୍ରୀପଦ ନେବାକୁ କସରତ ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି । ଏପରିକି ସହଯୋଗୀ ଦଳମାନେ ବିଜେପି ଉପରେ ଏନେଇ ଚାପ ପକାଇବା ମଧ୍ୟ ଆରମ୍ଭ କରି ଦେଇଥିବା ଶୁଣିବାକୁ ମିଳୁଛି ।

ଏନଡିଏର ମୁଖ୍ଯ ସହଯୋଗୀ ତେଲଗୁ ଦେଶମ ପାର୍ଟି ବାଚସ୍ପତି ପଦ ସମେତ ୫ଟି କ୍ଯାବିନେଟ ବର୍ଥ ନେବାକୁ ଚାହୁଁଛି । ଟିଡିପି ୧୬ଟି ଆସନ ଜିଣିଥିବାରୁ ନିଜର ଦବଦବା ଜାରି ରଖିବା ଲାଗି ପ୍ରୟାସ ଚଲାଇଛି । ୨୦୧୪ରେ ଏନଡିଏ ସରକାର ବେଳେ ଟିଡିପି ଗୋଟିଏ କ୍ଯାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲା ।

ସେପଟେ ଜନସେନା ପାର୍ଟିକୁ ବି ମନ୍ତ୍ରୀ ପଦ ଦେବା ନେଇ ଚର୍ଚ୍ଚା ଚାଲିଛି । ୱାଇଏସଆରସିପିକୁ ଗାଦିଚ୍ଯୁତ କରିବାରେ ଜନସେନାର ପ୍ରମୁଖ ଭୂମିକା ଥିଲା । ସେପଟେ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ବି ପୁଅ ଶ୍ରୀକାନ୍ତଙ୍କ ସମେତ ୩ଟି ପଦବୀ ଚାହିଁଥିବା ସୂଚନା ମିଳିଛି । ତେଣେ ବିଜେପି ନିଜ ହାତରେ ରେଳବାଇ, ଗୃହ, ଅର୍ଥ, ପ୍ରତିରକ୍ଷା, ଆଇନ ଓ ଆଇଟି ବିଭାଗ ରଖିବାକୁ ଯୋଜନା କରିଛି । ତେଣେ ଜେଡିୟୁ ୨ଟି, ଏଲଜେପିର ରାମ ବିଳାସ ୩ଟି, ହାମ ଗୋଟିଏ ପଦ ଚାହିଁଛନ୍ତି ।