କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ବିବାଦ

କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ପୂର୍ବରୁ ବିବାଦ । କେବଳ ତଳ ପଡ଼ିଆରେ ଯାତ୍ରା କରିବାକୁ ପ୍ରଶାସନର ଯୋଜନା । ବୁଦ୍ଧିଜୀବୀଙ୍କ ନାପସନ୍ଦ, ଆଲୋଚନା ପାଇଁ ମେୟରଙ୍କ ପ୍ରତିଶ୍ରୁତି । ବାଲିଯାତ୍ରାକୁ ମଝିରେ ଦୁଇ ମାସରୁ କମ ସମୟ ଥିବାବେଳେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି କଟକ ପ୍ରଶାସନ । ଚଳିତ ଯାତ୍ରାକୁ କେବଳ ନଦୀପଠା ତଳ ପଡିଆରେ ଆୟୋଜନ କରିବାକୁ ଯୋଜନା କରାଯାଉଛି । ପ୍ରଥମରୁ ଯାତ୍ରା ହୋଇ ଆସୁଥିବା ଉପର ପଡିଆକୁ ପାର୍କିଂ ଓ ଯାତ୍ରା ପରିଚାଳନା କାମରେ ଲଗାଇବାକୁ ଯୋଜନା କରୁଛି ପ୍ରଶାସନ । ତେବେ ଏହାକୁ ନାପସନ୍ଦ କରିଛନ୍ତି କଟକ ମେୟର ଓ ବୁଦ୍ଧିଜୀବୀ । ବିଗତ ବର୍ଷ ଏହି ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା ଶେଷ ସମୟରେ ଏହାକୁ ବାତିଲ କରାଯାଇଥିଲା । ତେଣୁ ଏଥର ଏହା ପୁଣି ମୁଣ୍ଡ ଟେକିଥିବାରୁ ଏନେଇ ପ୍ରଶାସନ ଓ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ମେୟର ।
ଆରମ୍ଭରୁ ଉପର ପଡ଼ିଆରେ ବାଲିଯାତ୍ରା ହୋଇ ଆସୁଛି । ବାଲିଯାତ୍ରା କହିଲେ ଲୋକେ ଉପର ପଡିଆକୁ ହିଁ ବୁଝନ୍ତି। ତେଣୁ ଯାତ୍ରାର ମୁଖଶାଳାକୁ ଛାଡ଼ି ତଳ ପଡ଼ିଆରେ ଯାତ୍ରା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବୁଦ୍ଧିଜୀବୀ । ତେଣୁ ଏହାର ପୂନର୍ବିଚାର କରା ନଗରେ ବିଭିନ୍ନ ଫୋରମରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବାଲିଯାତ୍ରାକୁ ଆସୁଥିବା ଲୋକେ ପ୍ରଥମେ ଉପର ପଡିଆରେ ବୁଲିବା ପରେ ନୌକାଗେଟ୍ ଦେଇ ତଳ ପଡିଆକୁ ଯାଆନ୍ତି । ଉଭୟ ପଡିଆରେ ବାଲିଯାତ୍ରା ହେଲେ ଭିଡ ପରିଚାଳନା ସହଜ ହେବା ସହ ବାଲିଯାତ୍ରାର ଗାରିମା ବଜାଇ ରହିବ ବୋଲି ମତ ପ୍ରକାଶ ପାଇଛି ।