ବିବାଦର ଅନ୍ୟ ନାଁ ଓମ୍ ବାବା

1 min read

ଓମ୍‌ ବାବାଙ୍କ ପୁଣି ବିବାଦୀୟ ବୟାନ । ଗ୍ରାହାମ୍‌ ଷ୍ଟୁଆର୍ଟ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀଅନ୍ତା ଜାଳି ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଭୋଗୁଥିବା ଦାରା ସିଂକୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରାଯାଉ । ନଚେତ ଲକ୍ଷାଧିକ ଓମ୍‌ଜୀ ହିନ୍ଦୁ ଆର୍ମୀ ସୈନିକ ଓ ନାଗାସାଧୁ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

ଓଡ଼ିଶା ଆସିଥିବା ଓମ୍‌ବାବା କେନ୍ଦୁଝର ଜେଲ୍‌କୁ ଯାଇ ଦାରା ସିଂକୁ ଭେଟିଥିଲେ । ସେ କହିଛନ୍ତି, ଆଇନ ଅନୁସାରେ ଆଜୀବନ ଜେଲ୍‌ ଆଦେଶ ପାଇଥିବା ବ୍ୟକ୍ତିଙ୍କୁ ୧୪ ବର୍ଷ କିମ୍ବା ଅତିବେଶିରେ ୨୦ ବର୍ଷ ପରେ ଜେଲ୍‌ରୁ ମୁକ୍ତ କରାଯିବା କଥା । କିନ୍ତୁ ଦାରା ସିଂ କ୍ଷେତ୍ରରେ ତାହା ହୋଇନାହିଁ । ଦାରା ସିଂକୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରାନଗଲେ ଲକ୍ଷାଧିକ ଓମ୍‌ଜି ହିନ୍ଦୁ ଆର୍ମୀ ସଦସ୍ୟ ଓ ନାଗା ସନ୍ନ୍ୟାସୀ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଇବେ ।

ଓମ୍‌ବାବାଙ୍କ ଏହି ମନ୍ତବ୍ୟ ତାଙ୍କୁ ପୁଣିଥରେ ବିବାଦ ଘେରକୁ ଟାଣିଛି । ତେବେ ସେ କହିଛନ୍ତି, ଦାରା ସିଂ ପ୍ରସଙ୍ଗରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି, ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଓମ୍‌ ବାବାଙ୍କ ସହିତ ଧର୍ମ ରକ୍ଷକ ଶ୍ରୀଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ  ମୁକେଶ ଜୈନ ମଧ୍ୟ ଜେଲ୍‌କୁ ଯାଇ ଦାରା ସିଂକୁ ଭେଟିଥିଲେ। ସେ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି

ବିବାଦ ସହ ଓମ୍‌ବାବାଙ୍କର ପୁରୁଣା ସଂପର୍କ । ତାଙ୍କର ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଟିଭି ସୋ’ ବିଗ୍‌ବସରୁ ବାହାର କରାଯାଇଥିଲା। ଏହାପରେ ବି ତାଙ୍କ ମୁହଁ ବନ୍ଦ ହୋଇନଥିଲା। ତାଙ୍କୁ ବିଗ୍‌ବସ୍‌ରେ ଅପମାନିତ କରାଯିବାରୁ ଉତ୍ତର ଭାରତରେ ଭୂକମ୍ପ ଆସିଥିଲା ବୋଲି ବାବା ଓମ୍‌ କହିଥିଲେ । ଟିଭି ଚ୍ୟାନେଲର ଏକ ଟକ୍‌ ସୋ’ରେ ଓମ୍‌ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ମହିଳା ଜଣକ ଓମ୍‌ଙ୍କୁ ଚାପୁଡ଼ା ମାରିବା ପରେ ହିତାହିତ ଜ୍ଞାନ ହରାଇ ତାଙ୍କୁ ମାଡ଼ ମାରିଥିଲେ ବାବା ଓମ୍‌ । ସେହିପରି ଅନ୍ୟ ଏକ ଟକ୍‌ ସୋ’ରେ ଆଙ୍କରଙ୍କ ଉପରକୁ ଉତ୍ତ୍ୟକ୍ତ ହୋଇ ପାଣି ଫିଙ୍ଗିଥିଲେ ବାବା । କିଛି ଫିଲ୍ମ ଷ୍ଟାର୍‌ଙ୍କୁ ମଧ୍ୟ ସେ ହତ୍ୟା ଧମକ ଦେଇଥିଲେ। କେବଳ ବୟାନ ବିବାଦ ନୁହେଁ, ବାବା ଓମ୍‌ଙ୍କ ନାଁରେ ଅନେକ ଅପରାଧିକ ମାମଲା ମଧ୍ୟ ଭିନ୍ନ ଭିନ୍ନ ଥାନାରେ ରହିଛି । ')}

Leave a Reply