ପଶ୍ଚିମ ଓଡ଼ିଶା ସଂସ୍କୃତି ଓଡ଼ିଆ ସିନେମାର ହୃଦୟ

ସମ୍ବଲପୁର: ଦହନା କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନଟି ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଅବଦାନ ଶୀର୍ଷକ ଥିଲା । ଆଲୋଚନାଚକ୍ରରେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ଯୋଗ ଦେଇଥିଲେ ।

ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର କହିଥିଲେ, ‘ଓଡ଼ିଆ ସିନେମା ଜଗତକୁ ପଶ୍ଚିମ ଓଡ଼ିଶାର ଅବଦାନ ଅନନ୍ୟ । ପଶ୍ଚିମ ଓଡ଼ିଶାକୁ ଛାଡି ଓଡ଼ିଆ ଚଳଚିତ୍ରର କଳ୍ପନା କରିହେବନାହିଁ । ଏବେ ସମ୍ବଲପୁରୀ ଗୀତ ବିନା କୌଣସି ଗୀତର କଳ୍ପନା କରାଯାଉନି । ଯୁବ ସଙ୍ଗୀତକାର ସମ୍ବଲପୁରୀ ଗୀତକୁ ନୂଆ ଦିଗ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ଗୀତ ଆତ୍ମା ସହ ଜଡିତ । ଏ ଗୀତର ଲାଲିତ୍ୟ ଅଛି । ଶରତ ପୂଜାରୀ ହେଉଛନ୍ତି ଓଡ଼ିଆ ସିନେମା ଜଗତର ପ୍ରଥମ ଷ୍ଟାର । ଏଠି ପ୍ରତିଭାବାନ କଳାକାର ଅଛନ୍ତି । ପଶ୍ଚିମ ଓଡ଼ିଶା ବହୁ କଳାକାର ଦେଇଛି । ପ୍ରତିଭା ବହୁତ ଅଛନ୍ତି, ସୁଯୋଗ ମିଳିବା ଦରକାର । ପଶ୍ଚିମ ଓଡ଼ିଶାର କଳାକାରମାନେ ସ୍ବାଭିମାନୀ, ସେମାନେ ଭାବନ୍ତି ମୋର ପ୍ରତିଭା ଅଛି ମୋ ପାଖକୁ ଲୋକ ଆସିନ୍ତୁ । ହେଲେ ଏବେ ସେ ସମୟ ନାହିଁ, ଆପଣଙ୍କୁ ସମସ୍ତଙ୍କ ସହ ସମ୍ପର୍କରେ ରହିବାକୁ ପଡିବ । ଗୋଟିଏ କଥା କହିବି, ଶରୀର ପ୍ରତି ହୃଦୟର ଦାନ ଯାହା, ଓଡ଼ିଆ ସିନେମାକୁ ପଶ୍ଚିମ ଓଡ଼ିଶାର ଦାନ ସେଇଆ ।’

ସେ ଆହୁରି କହିଥିଲେ, ‘ସମ୍ବଲପୁରୀ ଗୀତ ଓ ବାଦ୍ୟ ପ୍ରକୃତିରୁ ଆସିଛି । ଏହାର ସମ୍ପର୍କ ହୃଦୟ ସହ ରହିଛି । ସମ୍ବଲପୁରୀ ଗୀତକୁ ନେଇ ଫିଲ୍ମରେ ବହୁତ କିଛି ପରୀକ୍ଷା କରାଯାଇପାରେ । ମୁଁ ଦର୍ଶକଙ୍କୁ ଆଖି ଆଗରେ ରଖି କରିଥାଏ । ମୌଳିକ ଫିଲ୍ମକୁ ଅଧିକ ଗୁରୁତ୍ବ ଦେଇଥାଏ । ଆଉ ରିମେକକୁ ଲୋକେ ଗ୍ରହଣ କରୁନାହାନ୍ତି । ପୁଣି ଆଗ ପରି ମୌଳିକ ବିଷୟ ବସ୍ତୁକୁ ନେଇ ଫିଲ୍ମ ହେବ ।’ ଏହି ଅବସରରେ ସବ୍ୟସାଚ୍ଚୀ ମହାପାତ୍ର, ଅଭିନେତା ସବ୍ୟସାଚ୍ଚୀ ଏବଂ ଅର୍ଚ୍ଚିତାଙ୍କୁ ପ୍ରଶଂସା କରିବାକୁ ଭୁଲି ନଥିଲେ ।

କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାମିଲ ହୋଇଥିଲେ । ଅର୍ଚ୍ଚିତା କହିଥିଲେ, ‘ଓଡ଼ିଆ ସିନେମା ଜଗତର ପ୍ରାୟ ସବୁ ଫିଲ୍ମ ଓ ଗୀତରେ ପଶ୍ଚିମ ଓଡ଼ିଶାର ଛାପ ରହିଛି । ରଙ୍ଗବତୀ ଗୀତ ଓଡ଼ିଶାର ପରିଚୟ ସୃଷ୍ଟି କରିଛି । ସମ୍ବଲପୁର ସହ ବହୁତ ଜଡିତ । ଏଠିକାର ଲୋକେ ଆମକୁ ବହୁତ ଭଲପାଇବା ଦେଇଛନ୍ତି । ବହୁତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଶ୍ଚିମ ଓଡ଼ିଶାକୁ ଆସିଛି । ’

ସବ୍ୟସଚ୍ଚୀ ସମ୍ବଲପୁରରେ ଏମିତି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସକାଳ ଓ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଦେଇଥିଲେ । ମୋ ଜୀବନର ପ୍ରଥମ ଫ୍ୟାନ୍ସୀ ଡ୍ରେସ ବୁର୍ଲାରେ କରିଥିଲି । ଏଣ୍ଟରଟେନମେଣ୍ଟ ଏକ ବିଜିନେସ ହେଲେ ଏଥିରେ ବହୁତ ଏଲିମେଣ୍ଟ ଭରିବାକୁ ପଡିଥାଏ । ଗୀତ ହିଟ୍ କରିବାକୁ ହେଲେ ସମ୍ବଲପୁରୀ ଛୁଙ୍କ ନିଶ୍ଚିତ ଦରକାର । ମୋର ସବୁ ଫିଲ୍ମରେ କୌଣସି ନା କୌଣସି ଚରିତ୍ରକୁ ସମ୍ବଲପୁରୀ ଭାଷାରେ ରଖିବାକୁ ଚେଷ୍ଟା କରିଥାଏ । ଓଡ଼ିଆ ଫିଲ୍ମରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଥିଲେ ସେ ଫିଲ୍ମ ହିଟ୍ ନିଶ୍ଚିତ ହୋଇଥାଏ । ପଶ୍ଚିମ ଓଡ଼ିଶାରୁ ଆସି କଟକ ଭୁବନେଶ୍ବରରେ କଳାକାର ରହିବା ଓ କାମ କରିବାରେ ବହୁତ ସମସ୍ୟ ଦେଖା ଦେଇଥାଏ । ଏମିତି ବି ବହୁ କଳାକାର ଅଛନ୍ତି ଏହି ପ୍ରତିବନ୍ଧକକୁ ପ୍ରତିହତ କରି ସଫଳତା ପାଇଛନ୍ତି । ଯେଉଁମାନଙ୍କ ବିନା ଆଜି ସିନେମା ହୋଇପାରୁନାହିଁ । କଟକ, ଭୁବନେଶ୍ବର ପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ସମାନ୍ତରାଳ ଫିଲ୍ମ ଇଣ୍ଡଷ୍ଟ୍ରୀ ହେଉ । ଏହାଦ୍ବାରା ବହୁ ପ୍ରତିଭାବନା କଳାକାର ଆଗକୁ ବଢି ପାରିବେ ।

ଏହି ଅବସରରେ କୃତାର୍ଥ ମେହର ସୁଦାମ ନାୟକ ଏବଂ ଶୁଶ୍ରୀ ପାୟଲ ପଟେଲଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ଦୈନିକ ସକାଳର କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ ଏବଂ ପ୍ରକାଶକ ଅମିତ ମଲ୍ଲିକ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।