ଦିନ ସାଢେ ଏଗାରଟା ପରେ ନିର୍ମାଣ ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଖରାରେ ଶ୍ରମିକ କାମ କରିବାକୁ ବାଧ୍ୟ କରି ପାରିବେନି ଠିକାଦାର । ତାତି ବଢିଲେ ବଢିବ ବିଶ୍ରାମ ସମୟ । ବିଶ୍ରାମ ଦେଇ ବି ଦରମା ଦେବାକୁ ଠିକାଦାର ବାଧ୍ୟ । ଶ୍ରମିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଶକ୍ତ ହୋଇଛି ଶ୍ରମ ବିଭାଗ । ହିଟଓ୍ବେଭ୍ ଆଲର୍ଟ ଆହୁରି ବଢିବାର ସମ୍ଭାବନା ଅଛି । ଏପ୍ରିଲ ୩୦ ପରିବର୍ତ୍ତେ ଏହା ମେ’ ୩ ଯାଏଁ ଜାରି ହୋଇପାରେ । ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ ଥାଏ । ତେଣୁ ଉଚିତ ଅଟ୍ଟାଳିକାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ବିପଦ ଅଧିକ ଥାଏ । ରାଜ୍ୟ ସରକାରଙ୍କ ନିୟମ କାର୍ଯ୍ୟକାରିତାର ତଦାରଖ ପାଇଁ ଜୋରଦାର ଏନଫୋର୍ସମେଣ୍ଟ କରିବେ ଶ୍ରମ, ନିର୍ମାଣ ଓ ପୂର୍ତ୍ତ ବିଭାଗ । ନିମୟ ଖିଲାଫ ହେଉଥିଲେ କାରଣ ଦର୍ଶାଅ ନୋଟିସ ସହ ଠିକାଦାରଙ୍କ ଲାଇସେନସ୍ ବାତିଲ୍ କରିବାର ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ।

ସ୍କୁଲ ଓ କଲେଜରେ ସିନା କ୍ଲାସ୍ ବାତିଲ ହୋଇଛି, ହେଲେ ଚିନ୍ତାରେ ନିର୍ମାଣ ଶ୍ରମିକଙ୍କ ସ୍ବାସ୍ଥ୍ୟ । ଶ୍ରମିକଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । କାମ ବନ୍ଦ ସମୟ ଦିନ ୧୧ରୁ ଅପରାହ୍ନ ୩.୩୦ ଯାଏଁ ହେବାର ନିୟମ ଅଛି । ହେଲେ ଯେପରି ଭାବେ ଅପରାହ୍ନ ୫ଟା ଯାଏ ନିଆଁ ବର୍ଷା ହେଉଛି, ସ୍ଥିତି ଦେଖି ଏହି ସମୟ ବୃଦ୍ଧି କରାଯାଇ ପାରେ । ସୋମବାର ପୁଣି ଥରେ ଶ୍ରମ ବିଭାଗ ହିଟଓ୍ବେଭର ସମୀକ୍ଷା କରିବ । ଟାଣ ଖରା ଜାରି ରହିଲେ, ଶ୍ରମିକଙ୍କ ପାଇଁ ବି ସ୍ବତନ୍ତ୍ର ନିୟମ କାର୍ଯ୍ୟକାରୀ ହୋଇପାରେ ।

ଶ୍ରମିକଙ୍କ ସୁରକ୍ଷାର ତଦାରଖ ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି । ପ୍ରତିଦିନ ସେମାନେ କମ୍ପାନୀଗୁଡ଼ିକର ଶ୍ରମିକ ସୁରକ୍ଷା ନୀତିର ରିପୋର୍ଟ ଦେଉଛନ୍ତି ।