ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ, ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା

ପୁରୀ : ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି।  ଭଉଁରି ଉତ୍ସବ ପରେ ଏବେ ନିର୍ମାଣକାରୀଙ୍କ ଟାର୍ଗେଟ ରହିଛି ସ୍ନାନ ପୂର୍ଣ୍ଣିମା । ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ । ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

ତିନି ରଥର ଅଖ ହଣା ଆରମ୍ଭ ହୋଇଛି । ରଥର ପାର୍ଶ୍ବ ମୁହାଁଟ କାମ ଚାଲିଛି । ବିଶ୍ବକର୍ମାମାନେ ରଥର ୮ଟି ଖମ୍ବୀ ତିଆରୁଛନ୍ତି  । ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।

ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ସେପଟେ ରୂପକାରମାନେ ଗୁଜରେ ସିଂହବିରାଳ ଖୋଦେଇରେ ବ୍ୟସ୍ତ । ତାଳଧ୍ବଜ ଓ ନନ୍ଦିଘୋଷ ଓ ଦେବଦଳନର ୧୨ଟି ଗୁଜ ନିର୍ମାଣ ହେଉଛି । ଏସବୁ ରଥ କୋଣରେ ସ୍ଥାପନ ହେବ ।