ବିଧାନସଭା ସମ୍ମିଳନୀ କକ୍ଷରେ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର: ସମ୍ବିଧାନରେ ଅହିଂସା ଶବ୍ଦ ଯୋଡ଼ିବାକୁ ପୁଣି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୦ତମ ସମ୍ବିଧାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଗାନ୍ଧିଜୀଙ୍କୁ ମନେ ପକାଇଛନ୍ତି । ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଛାଡ଼ି ଭାରତ ଫେରିବା ପରେ ସ୍ୱାଧୀନତା ଆନ୍ଦୋଳନକୁ ଦିଗ ମିଳିଥିଲା । ସେ ୬ଟି ଆନ୍ଦୋଳନ କରିଥିଲେ । ସମସ୍ତଙ୍କୁ ସମାନ ଅଧିକାର ଦେବାକୁ ସେ ରଘୁପତି ରାଘବ ଗାଇଥିଲେ । ଏହା ସମସ୍ତଙ୍କୁ ଏତେ ପ୍ରଭାବିତ କରିଥଲା ଯେ, ଇଂରେଜ ଭାରତ ଛାଡ଼ିଲେ । ବିନା ହିଂସାରେ ପ୍ରଥମ ଥର ପାଇଁ କୌଣସି ଦେଶ ସ୍ୱାଧୀନତା ପାଇଥିଲା । ଆମ୍ବେଦକର, ପ୍ରତି ବର୍ଗ ପାଇଁ ସମାନ ଅଧିକାର କଥା ଉଲ୍ଲେଖ କରିଛନ୍ତି । ତାକୁ ଆମେ ପାଳନ କରିଛୁ । ଏହାକୁ ରକ୍ଷା କରିବା ଆମ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ସମ୍ବିଧାନ ପ୍ରଣେତାମାନଙ୍କୁ ମନେ ପକାଇଛନ୍ତି ।

ବିଧାନସଭା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏଥିରେ ଯୋଗଦେଇ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଧନୀ ଗରିବଙ୍କ ଭିତରେ ବହୁତ ବଡ଼ ଦୂରତା ଆସିଛି । ଯାହା ସମ୍ବିଧାନ ଗଠନର ମୂଳ ଉଦେଶ୍ୟ ବିରୋଧୀ । ସମସ୍ତେ ଏହି ଦୂରତା ହଟାଇବାକୁ ଶପଥ ନେବା ପାଇଁ ମତ ଦେଇଛନ୍ତି ନରସିଂହ ମିଶ୍ର ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ତ୍ୟାଗ ଓ ଅହିଂସାକୁ ପାଥେୟ କରି ବାପୁଜୀଙ୍କ ଆଦର୍ଶରେ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ଆମକୁ ସାଧାରଣ ଲୋକଙ୍କୁ ସେବା ଦେବାର ସୁଯୋଗ ମିଳିଛି । ସମ୍ବିଧାନରେ ଯାହା ଅଛି, ତାକୁ ପାଳନ କରିବାକୁ ଆମେ ମାଧ୍ୟମ ।

Leave a Reply