ଯୋଡ଼ା ଶିଶୁ ବୋଲି ଛାଡ଼ିଦେଇଥିଲେ ଆଉ ଏବେ…

ଅମୃତସର : ଏମିତି ଅଜବ ଶରୀର ଯୋଗୁଁ ବାପା, ମା’ ଛାଡ଼ିଦେଇଥିଲେ, ଆଉ ଏବେ ସରକାରୀ ଚାକିରି ପାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଅମୃତସର ସହରରେ । ସୋହନା ଏବଂ ମୋହନା ଦୁଇ ଯାଆଁଳା ଭାଇ । ବର୍ତ୍ତମାନ ଉଭୟଙ୍କୁ ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଛି । ଏଠାକାର ଜଣେ ଅଧିକାରୀଙ୍କ କହିବାନୁସାରେ ଡିସେମ୍ୱର ୧୯ରେ ଏମାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ୨୦ ତାରିଖରୁ ଉଭୟ କାମ କରିବା ଆରମ୍ଭ କରିଦେଇଥିଲେ । ପିଏସପିସିଏଲର ବିଦ୍ୟୁତ୍ ସରବରାହ ବିଭାଗରେ ନିରୀକ୍ଷକ ଭାବେ ଏମାନଙ୍କୁ ନିଯୁକ୍ତି ମିଳିଥିବା ସୂଚନା ରହିଛି ।

ପଞ୍ଜାବ ବିଦ୍ୟୁତ୍ ନିଗମରେ ନିଯୁକ୍ତି ମିଳିଥିବାରୁ ଉଭୟ ଭାଈ ବହୁତ ଖୁସି ଥିବା କହିଛନ୍ତି । ନିଯୁକ୍ତି ମିଳିଥିବାରୁ ଉଭୟ ପଞ୍ଜାବ ସରକାର ଏବଂ ପିଙ୍ଗଲୱାଡ଼ା ସଂସ୍ଥାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୋଡ଼ା ଶରୀର ଦୁଇ ଭାଇ ଆଇଟିଆଇ ପାସ୍ କରିଥିଲେ ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ । ପ୍ରଥମେ ଇଲେକ୍ଟ୍ରିକାଲରେ ଡିପ୍ଲୋମା କରି ୱାର୍କସପ୍ କରିଥିଲେ । ତେବେ ପରେ ରାଜ୍ୟ ସରକାର ଚାକିରି ପାଇଁ ଆବେଦନ କରିଥିଲେ । ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର । ଏବଂ ଦୁହିଁଙ୍କ ମାସିକ ଦରମା ୨୦ ହଜାର । ଦୁହେଁ ୨୦୦୩ରେ ସୁଚିତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଦୁହିଁଙ୍କୁ ବାପା, ମା’ ଛାଡ଼ିଦେବା ପରେ ଏମାନଙ୍କୁ ଦିଲ୍ଲୀ ଏମସକୁ ନିଆଯାଇଥିଲା । ହେଲେ ସେଠାରେ ଦୁହିଁଙ୍କୁ ଅଲଗା କରାଯାଇପାରିନଥିଲା ।

Leave a Reply